ଭୁବନେଶ୍ବର: ଏଣିକି ଶ୍ରୀମନ୍ଦିରରେ ସୁଦୃଢ଼ ହେବ ସୁରକ୍ଷା ଭିତ୍ତିଭୂମି। ନିୟୋଜିତ ହେବେ ଅଧିକ ସୁରକ୍ଷାକର୍ମୀ, ବଢ଼ିବ ସର୍ଭିଲାନ୍ସ କ୍ଷମତା। ଏନେଇ ଖୁବ୍ଶ୍ରୀଘ୍ର ଶ୍ରୀଜଗନ୍ନାଥ ସ୍ୱତ୍ରନ୍ତ୍ର ବାଟାଲିୟନ୍ ପ୍ରତିଷ୍ଠା ସହ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିରରେ ମୋବାଇଲ୍ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ବାରଣ କରାଯିବ। କୌଣସି ପୁଲିସ କିମ୍ବା ସେବାୟତ ମନ୍ଦିରକୁ ମୋବାଇଲ୍ ନେଇପାରିବେନି। ୱାକିଟକି ବ୍ୟବସ୍ଥା ସହ ବ୍ୟାପକ ମାତ୍ରାରେ ସିସିଟିଭି ଲଗାଯିବା ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସୁରକ୍ଷା ସବ୍ କମିଟି ମୁଖ୍ୟ ଡ. ଗିରିଶ ଚନ୍ଦ୍ର ମୁର୍ମୁ। ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ପ୍ରଥମ ବୈଠକ ମଙ୍ଗଳବାର ପୁରୀ ଭକ୍ତ ନିବାସ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ସୁରକ୍ଷାକୁ କଡ଼ାକଡ଼ି ଭାବେ ପାଳନ କରିବା ନେଇ ସ୍ୱତ୍ରନ୍ତ୍ର ପ୍ଲାନ୍ ଉପରେ ଆଲୋଚନା ହୋଇଛି। ସୁରକ୍ଷା ନେଇ ଭିତ୍ତିଭୂମି ସରଞ୍ଜାମ ସହ ଆବଶ୍ୟକୀୟ ଲୋକବଳକୁ ନେଇ ମନ୍ଦିର ଭିତରେ ଓ ବାହାରେ କିଭଳି ଶାନ୍ତିଶୃଙ୍ଖଳା କଡ଼ାକଡ଼ି କରାଯିବ ସେ ନେଇ ଆଲୋଚନା ହୋଇଥିଲା। ସିଂହଦ୍ୱାର ପୁଲିସ ନବୀକରଣ, ଶ୍ରୀଜଗନ୍ନାଥ ସ୍ୱତ୍ରନ୍ତ୍ର ବାଟାଲିୟନ୍ ପ୍ରତିଷ୍ଠା, ଆଉଟ୍ ପୋଷ୍ଟ ନିର୍ମାଣ ସମେତ ବ୍ୟାଗେଜ୍ ସ୍କାନର୍ ସ୍ଥାପନ ଓ ସିସିଟିଭି କଣ୍ଟ୍ରୋଲ୍ ରୁମ୍ ପରିଚାଳନା ନେଇ ଖୁବ୍ଶୀଘ୍ର ବିଶେଷ ପଦକ୍ଷେପ ନିଆଯିବ। ଡିଜିସିଏ ଦ୍ୱାରା ଶ୍ରୀମନ୍ଦିର ରେଡ୍ ଜୋନ୍ ଘୋଷଣା ହୋଇସାରିଥିବା ବେଳେ ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯାଇ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା। ବିଶେଷକରି ଶ୍ରୀମନ୍ଦିର ଭିତରେ ମୋବାଇଲ୍ ନେଇ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ସୁରକ୍ଷା ବାହିନୀମାନଙ୍କୁ ୱାକିଟକି ପ୍ରଦାନ ତଥା ବ୍ୟାପକ ମାତ୍ରାରେ ସିସିଟିଭି ଲଗାଯିବା ସହ ଏହାକୁ ପରିଚାଳନା ନେଇ ବୈଠକରେ ମତପ୍ରକାଶ ପାଇଥିଲା। ଭିତ୍ତିଭୂମିର ବିକାଶ ଆବଶକୀୟ ସାରଞ୍ଜାମ ଯୋଗାଇବା ତଥା ସୁରକ୍ଷା ନେଇ ବ୍ୟାପକ ଲୋକବଳ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବାବେଳେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ନେଇ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା।
Comments are closed, but trackbacks and pingbacks are open.