ପୁଲିସ ଏସ୍‌ଆଇ ଚାକିରି ମହାଘୋଟାଲା : ଜାରି ହେଲା ଲୁକ୍‌ଆଉଟ୍ ସର୍କୁଲାର

86

ଭୁବନେଶ୍ୱର,: ପୁଲିସ ଏସ୍‌ଆଇ ଚାକିରି ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଆଉ ନାହିଁ ନିସ୍ତାର। ଯେଉଁଠି ଥିଲେ ବି ଖୋଜି ବାହାର କରିବ କ୍ରାଇମବ୍ରାଞ୍ଚ। କିଙ୍ଗପିନ କୁହାଯାଉଥିବା ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ଶଙ୍କର ପୃଷ୍ଟି ଓ ସହଯୋଗୀ ମୁନା ମହାନ୍ତିଙ୍କ ଏଯାଏଁ ଟେର ମିଳୁନଥିବାରୁ ଉଭୟଙ୍କ ବିରୋଧରେ ଜାରି ହୋଇଛି ଲୁକ୍‌ଆଉଟ୍ ସର୍କୁଲାର। ତା’ ସହ ମୁନା ଓ ଶଙ୍କରଙ୍କ ସମେତ ୧୦ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବି ଫ୍ରି ଜ୍ କରାଯାଇଛି। ଏସବୁ ଆକାଉଣ୍ଟ ଗିରଫ ହୋଇଥିବା ମଧ୍ୟସ୍ଥ ଏବଂ ଫେରାର ଥିବା ଅଭିଯୁକ୍ତମାନଙ୍କ ବୋଲି କୁହାଯାଉଛି। କ୍ରାଇମବ୍ରାଞ୍ଚ ପଞ୍ଝାକୁ କିଙ୍ଗପିନ ଶଙ୍କର ଆସିଲେ ହିଁ ଏସଆଇ ଦୁର୍ନୀତିର ପେଡ଼ି ଖୋଲିବ। ଫେରାର ଅଭିଯୁକ୍ତ ଯେମିତି ବାହାରକୁ ଖସିନଯିବେ ସେଥିପାଇଁ ଲୁକ୍‌ଆଉଟ୍ ସର୍କୁଲାର ଜାରି ହୋଇଛି। ଅର୍ଥାତ ଅଭିଯୁକ୍ତ ଆଉ ଦେଶ ଛାଡ଼ି ଯାଇପାରିବେ ନାହିଁ। ଲୁକ୍‌ଆଉଟ୍ ସର୍କୁଲାର ଆଧାରରେ ସବୁ ବିମାନବନ୍ଦରକୁ ଅଭିଯୁକ୍ତମାନଙ୍କ ବାବଦରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଥ୍ୟ ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୪ଟି ସ୍ପେଶାଲ ଟିମ୍ ଝାରଖଣ୍ଡ ଓ ବିହାରରେ ଘନ ଘନ ରେଡ କରୁଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା। ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ୱ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍‌ଲେଟ୍‌ରେ ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ୱ ଦେଇଥିଲା। ପଞ୍ଚସଫ୍ଟକୁ ଦାୟିତ୍ୱ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଦୁର୍ନୀତି ପାଇଁ ଯୋଜନା କରିଥିଲେ। ପଞ୍ଚସଫ୍ଟ କମ୍ପାନୀ ପରୀକ୍ଷାର୍ଥୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦେବାକୁ ଆନ୍ଧ୍ରପ୍ରଦେଶ ନେଇଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏହି ଚାକିରି ଦେବା ପାଇଁ କୋଟି କୋଟି ଟଙ୍କାର କାରବାର ହୋଇଥିବା ସାମ୍ନାକୁ ଆସିଥିଲା। ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧୯ ଜଣ ଗିରଫ ହୋଇଛନ୍ତି। ୧୧୪ ପରୀକ୍ଷାର୍ଥୀଙ୍କ ସହ ୫ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଯାଇଛି।

Comments are closed, but trackbacks and pingbacks are open.