ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତର ବଣ୍ଡା ଘାଟି ପରିଦର୍ଶନ କରିଛନ୍ତି। ରାଜ୍ୟପାଳ ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲିଠାରେ ପହଞ୍ଚିବା ପରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍ପି ବିନୋଦ ପାଟିଲ, ଡିଏଫଓ ସାଇ କିରଣ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳ ବଣ୍ଡା ଘାଟିରେ ପହଞ୍ଚିବା ପରେ ବଣ୍ଡା ପୁରୁଷ ଓ ମହିଳାମାନେ ପାରମ୍ପରିକ ନୃତ୍ୟ ଓ ସଂଗୀତ ମାଧ୍ୟମରେ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ସେମାନେ ରାଜ୍ୟପାଳଙ୍କୁ ପବିତ୍ର ସୀତା କୁଣ୍ଡ ଓ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ରାଜ୍ୟପାଳ ଶ୍ରୀ କମ୍ଭମପାଟି ବଣ୍ଡା ଉନ୍ନୟନ ସଂସ୍ଥା ପରିଦର୍ଶନ କରି ଏହି ଜନଜାତିଙ୍କ ପାଇଁ ସଂସ୍ଥା ଦ୍ୱାରା କିପରି ବିକାଶ କରାଯାଉଛି ତାହା ପଚାରି ବୁଝିଥିଲେ। ଏହି ଅବସରରେ ସେ ୧୫ ଜଣ ଆଦିମ ବଣ୍ଡା ଏବଂ ୧୧ ଜଣ ଦିଦାୟୀ ସମ୍ପ୍ରଦାୟର ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ବଣ୍ଡା ଘାଟିର ବିକାଶ ସହ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
Comments are closed, but trackbacks and pingbacks are open.