ଅତ୍ୟାବଶ୍ୟକୀୟ ଔଷଧ ମୂଲ୍ୟରେ ୧୦-୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ

989

ନୂଆଦିଲ୍ଲୀ: ୩୭ଟି ଅତ୍ୟାବଶ୍ୟକୀୟ ଔଷଧ ମୂଲ୍ୟରେ ୧୦-୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି ଏନ୍‌ପିପିଏ। ଏଥିରେ ପାରାସିଟାମଲ୍, ଆଟୋର୍‌ଭାଷ୍ଟିନ୍ ଓ ଆମୋକ୍ସିଲିନ୍ ଭଳି ଔଷଧ ରହିଛି ଯାହା ସାଧାରଣ ଜ୍ୱର ଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍ ଓ ସଂକ୍ରମଣର ଶିକାର ହୋଇଥିବା ରୋଗୀଙ୍କୁ ଦିଆଯାଉଛି। ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ଔଷଧ ମୂଲ୍ୟ ନିୟନ୍ତ୍ରଣ ନିର୍ଦେଶ ୨୦୧୩ ଅନୁସାରେ ଏହାର ବିଜ୍ଞପ୍ତି ଜାରି କରିଛି। ଏହି ମୂଲ୍ୟ ପୃଥକ ପୃଥକ ଫର୍ମୁଲା ଉପରେ ଲାଗୁ ହେବ ଯାହାକୁ ଔଷଧ କମ୍ପାନିଗୁଡ଼ିକ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି।
ମୂଲ୍ୟ ନିର୍ଧାରଣ କରାଯାଇଥିବା ମିଶ୍ରଣଗୁଡ଼ିକ ମଧ୍ୟରେ ଆସେଲୋଫେନାକ୍, ପାରାସିଟାମଲ୍‌ ଓ ଟ୍ରାଏସ୍ପିନ୍ ଚାଏମୋଟ୍ରାଏସ୍ପିନ୍ ରହିଛି। ଡକ୍ଟର ରେଡିଜ୍ ଲାବୋରେଟୋରି ପ୍ରସ୍ତତ କରୁଥିବା ଏହି ମିଶ୍ରଣର ଔଷଧ ଦାମ ୧୩ ଟଙ୍କା ଓ କ୍ୟାଡିଲା ଫାର୍ମାସ୍ୟୁଟିକାଲ୍‌ସ ପାଇଁ ୧୫.୦୧ ଟଙ୍କା ରଖାଯାଇଛି। ସାଧାରଣ ଜ୍ୱର ଓ ଜ୍ୱଳନ ଆଦି ପାଇଁ ଏହା ବ୍ୟବହାର କରାଯାଇଥାଏ। ସେହିପରି ହୃଦରୋଗୀମାନଙ୍କ ଲାଗି ଆଟୋରଭାଷ୍ଟିନ୍ ୪୦ ଏମ୍‌ଜି ଓ କ୍ଲୋପିଡୋଗ୍ରେଲ୍‌ ୭୫ ଏମ୍‌ଜି ମିଶ୍ରଣରେ ପ୍ରସ୍ତୁତ ଟାବଲେଟ୍‌ ପିଛା ଦାମ୍ ୨୫ ଟଙ୍କା ୬୧ ପଇସା ଧାର୍ଯ୍ୟ କରାଯାଇଛି। ପିଲାମାନଙ୍କୁ ଦିଆଯାଉଥିବା ସେଫିକ୍ସାଇମ୍ ଓ ପାରାସିଟାମଲ୍ ମିଶ୍ରଣର ଦାମ୍‌ ମଧ୍ୟ ଧାର୍ଯ୍ୟ କରାଯାଇଛି। ଭିଟାମିନ୍ ଡି ପାଇଁ କୋଲେକାଲ୍‌ସିଫେରଲ୍‌ ଡ୍ରପ୍ ଓ ଡାଇକ୍ଲୋଫେନାକ୍ ଇଞ୍ଜେକ୍ସନ ଦାମ୍‌ ମିଲିଲିଟର ପିଛା ୩୧ ଟଙ୍କା ୭୭ ପଇସା ଧାର୍ଯ୍ୟ କରାଯାଇଛି। ଟାଇପ୍‌-୨ ଡାଇବେଟିସ୍‌ରେ ପୀଡ଼ିତ ରୋଗୀମାନେ ବ୍ୟବହାର କରୁଥିବା ଏମ୍ପାଗ୍ଲିଫ୍ଲୋଜିନ୍, ସିଟାଗ୍ଲିପ୍‌ଟିନ୍ ଓ ମେଟାଫୋର୍ମିନ୍ ହାଇଡ୍ରୋକ୍ଲୋରାଇଡ୍‌ ମିଶ୍ରଣର ଦାମ୍‌ ଏବେ ଟାବଲେଟ୍‌ ପିଛା ୧୬ ଟଙ୍କା ୫୦ ପଇସା କରାଯାଇଛି। ଏହି ତାଲିକାରେ କୋଲେଷ୍ଟ୍ରଲ୍‌ ପରିଚାଳନା ପାଇଁ ଆଟୋରଭାଷ୍ଟିନ୍-ଏଜେଟିମାଇବ୍ ଏବଂ ଆଲର୍ଜି ଓ ଶ୍ବାସରୋଗ ପାଇଁ ବ୍ୟବହୃତ ବିଲାଷ୍ଟାଇନ୍-ମଣ୍ଟେଲୁକାଷ୍ଟ୍‌ ମିଶ୍ରଣକୁ ମଧ୍ୟ ସାମିଲ କରାଯାଇଛି। ଔଷଧଗୁଡ଼ିକର ନୂଆ ଦରକୁ ପ୍ରଦର୍ଶିତ କରିବା ଲାଗି ରିଟେଲର୍ ଓ ଡିଲର୍‌ମାନଙ୍କୁ କୁହାଯାଇଛି। ନୂଆ ଦର ଲାଗୁ ନ କଲେ ଡିପିସିଓ ୨୦୧୩ ନିୟମ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନିୟମ ୧୯୫୫ ଆଧାରରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ପୂର୍ବରୁ ଥିବା ସବୁ ବିଜ୍ଞପ୍ତି ଉପରେ ଏହି ନୂଆ ବିଜ୍ଞପ୍ତି ଲାଗୁ ହେବ।

Comments are closed, but trackbacks and pingbacks are open.