ଆଜି ନିଷ୍କାସନ ହେବ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ

143

ସମ୍ବଲପୁର: ଆଜି ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ପ୍ରଥମ ପର୍ଯ୍ୟାୟରେ ୬ରୁ ୮ଟି ଗେଟ୍‌ ଖୋଲାଯିବ। ହୀରାକୁଦ ବନ୍ଧ ନିୟନ୍ତ୍ରଣକକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୦୮.୦୬ ଫୁଟ୍‌ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୧,୨୨,୮୫୨ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୩୭,୭୯୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେଥିରୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପାୱାର ଚାନେଲ ଦେଇ ୩୪,୪୯୧ କ୍ୟୁସେକ୍ ଓ ଜଳସେଚନ ପାଇଁ ୩୦୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୩୪ କ୍ୟୁସେକ୍ ପାଣି ଟାଣୁଛନ୍ତି। ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲରେ ୨୬୦୦ କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୪୦୦ କ୍ୟୁସେକ୍ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ଜଳଭଣ୍ଡାର ଉପର ମୁଣ୍ଡରେ ୧୦.୪୯ ମିମି ଓ ତଳମୁଣ୍ଡରେ ୭.୬୪ ମିମି ବର୍ଷା ରେକର୍ଡ କରାଯାଇଛି।

ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର ଗତ ଗୁରୁବାର ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା କଲ୍‌ମା ବ୍ୟାରେଜର ୪୬ଟି ଗେଟ୍‌ ଖୋଲିଥିଲେ। ପରବର୍ତ୍ତୀ ସମୟରେ ବାକି ଗେଟ୍‌ଗୁଡ଼ିକ ଖୋଲିଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା ଜଳସ୍ତର ୬୦୯ ଫୁଟ ଅତିକ୍ରମ କରିଯିବ ବୋଲି ଜଣାପଡ଼ିଛି। ବନ୍ୟାଜଳ ନିଷ୍କାସନ ଯୋଗୁଁ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Comments are closed, but trackbacks and pingbacks are open.