ଭୁବନେଶ୍ୱର: ଦୀର୍ଘଦିନ ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା କୋଟିଆ ସୀମା ବିବାଦର ସମାଧାନ ପାଇଁ ଏବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ନବୀନଙ୍କୁ ଚିଠି ଲେଖି ସେ କୋଟିଆ ବିବାଦର ସମାଧାନ ପାଇଁ ଗଠନମୂଳକ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି। ତେବେ ଏହା ପୂର୍ବରୁ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ନେଇ ଚିଠି ଲେଖି୍ଥିବା ବେଳେ ଚିଠିରେ ରାଜନୈତିକ ଦୃଷ୍ଟିକୋଣ ଅଧିକ ଥିବା ଏବଂ ଠୋସ୍ ସମାଧାନର ପ୍ରସ୍ତାବ ନଥିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।
ଚିିଠିରେ ଉଲ୍ଲେଖ ରହିଛି ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ଦିନଠାରୁ କୋଟିଆ ଗ୍ରାମପୁଞ୍ଜ ରାଜ୍ୟର ଅବିଚ୍ଛେଦ୍ୟ ଅଂଶ ରହିଆସିଛି। ସୀମାର ସୁରକ୍ଷା ସହ ଏହି ଅଞ୍ଚଳର ବିକାଶ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। କୋଟିଆ ଗ୍ରାମପଞ୍ଚାୟତ ଓ ଆଖପାଖ ଅଞ୍ଚଳର ସମନ୍ୱିତ ବିକାଶ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ନିକଟରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଏହି ଅଞ୍ଚଳ ଗସ୍ତ କରି ବିକାଶମୂଳକ ଆବଶ୍ୟକତା ଏବଂ ଜନସାଧାରଣଙ୍କ ସମସ୍ୟା ସମୀକ୍ଷା କରିଛନ୍ତି। ଏଥିସହିତ ବିବାଦର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମସ୍ତ ପକ୍ଷ ସଂଯମ ଓ ଦାୟିତ୍ୱବୋଧର ସହ କାମ କରିବା ସହ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଛନ୍ତି। ଏଥିସହ ନବୀନ ପଟ୍ଟନାୟକଙ୍କୁ ଏହି ବିବାଦର ସମାଧାନ ପାଇଁ ଠୋସ୍ ଓ ଗଠନମୂଳକ ପରାମର୍ଶ ଦେବାକୁ ଆମନ୍ତ୍ରଣ କରିଛନ୍ତି।
Prev Post
Comments are closed, but trackbacks and pingbacks are open.