ଅଳକାନନ୍ଦା ନଦୀରେ ଖସିପଡ଼ିଲା ବସ

373

ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲଥିରରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅଳକନନ୍ଦା ନଦୀରେ ଏକ ମିନିବସ ଖସିପଡ଼ି ବୁଡ଼ି ଯାଇଛି। ଏହା ଫଳରେ ୩ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ଆହତ ହୋଇଛନ୍ତି ଓ ଆଉ କିଛି ନିଖୋଜ ଅଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ଓ ପ୍ରଶାସନର ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁର୍ଘଟଣା ବଦ୍ରିନାଥ ଜାତୀୟ ରାଜପଥରେ ଘଟିଛି। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ଏକ ଟେମ୍ପୋ ଟ୍ରାଭେଲର୍ ଥିଲା । ଗାଡ଼ିଟି ଯାତ୍ରୀମାନଙ୍କୁ ନେଇ ବଦ୍ରିନାଥ ଯାଉଥିଲା। ଦୁର୍ଘଟଣାରେ ପାଞ୍ଚରୁ ସାତ ଜଣ ଆହତ ହୋଇଛନ୍ତି ଓ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି। ଆହତଙ୍କ ମଧ୍ୟରେ ୯ ବର୍ଷର ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଗାଡ଼ିରେ ୧୮ ରୁ ୧୯ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ମଧ୍ୟ ଦଶ ଜଣ ଯାତ୍ରୀ ନିଖୋଜ ଅଛନ୍ତି। ସର୍ବଶେଷ ସୂଚନା ଅନୁସାରେ ଅଳକନନ୍ଦା ନଦୀରେ ଖସି ପଡ଼ିଥିବା ଏହି ଟେମ୍ପୋ ଟ୍ରାଭେଲରଟି ଏକ ଟ୍ରକ୍ ସହିତ ଧକ୍କା ହେବା ଯୋଗୁଁ ଖସି ପଡ଼ିଥିଲା। ବସଟି ରାଜସ୍ଥାନରୁ ଆସିଥିଲା ବୋଲି ଜଣାପଡ଼ିଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗାଡ଼ିର ଡ୍ରାଇଭର ସୁମିତ ସମ୍ପୂର୍ଣ୍ଣ ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବସଟି କେଦାରନାଥରୁ ବଦ୍ରିନାଥ ଯାଉଥିବା ବେଳେ ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା। ଯାହା ଫଳରେ ଟେମ୍ପୋ ଟ୍ରାଭେଲରଟି ନିୟନ୍ତ୍ରଣ ବାହାର କରି ନଦୀରେ ପଡ଼ିଯାଇଥିଲା। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି।

Comments are closed, but trackbacks and pingbacks are open.