ଶରଣାର୍ଥୀଙ୍କ ପାଇଁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ମନ୍ତବ୍ୟ: ଭାରତ ଧର୍ମଶାଳା ନୁହେଁ

190

ନୂଆଦିଲ୍ଲୀ : ଭାରତରେ ଶରଣାର୍ଥୀ ସମସ୍ୟା ଜଟିଳ ହୋଇପଡିଥିବାବେଳେ ଶରଣାର୍ଥୀଙ୍କ ସ୍ଥାୟୀ ରହଣି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଆଜି କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଭାରତ ଏକ ଧର୍ମଶାଳା ନୁହେଁ ଏବଂ ଏଠାରେ ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ରହିବା ପାଇଁ ଅନୁମତି ମିଳିପାରିବ ନାହିଁ। ଭାରତ ୧୪୦ କୋଟି ଜନସଂଖ୍ୟାର ବୋଝକୁ ମୁକାବିଲା କରୁଛି। ଏଭଳି ସ୍ଥିତିରେ ଦେଶକୁ ଶରଣାର୍ଥୀଙ୍କ ପାଇଁ ଧର୍ମଶାଳା ଭଳି ବ୍ୟବହାର କରାଯାଇପାରିବ ନାହିଁ। ଶ୍ରୀଲଙ୍କାରୁ ଭାରତ ଆସିଥିବା ଏଲ୍‌ଟିଟିଇ (ଲିବରେସନ୍‌ ଟାଇଗର୍ସ ଅଫ୍ ତାମିଲ ଇଲମ୍)ର ଜଣେ ପୂର୍ବତନ ସଦସ୍ୟଙ୍କ ଆବେଦନକୁ ଖାରଜ କରି ସୁପ୍ରିମ୍‌କୋର୍ଟ ଏଭଳି ମତ ରଖିଛନ୍ତି। ଆବେଦନକାରୀ ଭାରତରେ ରହିବାକୁ ଅନୁମତି ଦେବାପାଇଁ ଆବେଦନ କରିଥିଲେ।ଶ୍ରୀଲଙ୍କାର ସୁବାସ୍କରନ୍‌ ଓରଫ ଜୀବନ ଓରଫ ରାଜା ଓରଫ ପ୍ରଭାଙ୍କୁ ୨୦୧୫ରେ ତାମିଲନାଡ଼ୁରେ ଗିରଫ କରାଯାଇଥିଲା। ଉକ୍ତ ବ୍ୟକ୍ତି ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବାର ପ୍ରମାଣ ମଧ୍ୟ ମିଳିଥିଲା। ନିମ୍ନ ଅଦାଲତ ତାଙ୍କୁ ୟୁଏପିଏ ଆଇନ ଅନୁଯାୟୀ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୨୨ରେ ହାଇକୋର୍ଟ ଏହି ଦଣ୍ଡାଦେଶକୁ ୭ ବର୍ଷକୁ ହ୍ରାସ କରିଥିଲେ। କିନ୍ତୁ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ଦଣ୍ଡାଦେଶ ସରିବା ପରେ ସୁବାସ୍କରନ୍‌ଙ୍କୁ ଭାରତ ଛାଡ଼ି ଶ୍ରୀଲଙ୍କା ଯିବାକୁ ପଡ଼ିବ।

Comments are closed, but trackbacks and pingbacks are open.