ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ରେ ‘ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ’

109

ଭୁବନେଶ୍ୱର:- ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଶୁକ୍ରବାର ସ୍ଥାନୀୟ ଜୟଦେବ ଭବନ ଠାରେ ‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ ଅବସରରେ ଆୟୋଜିତ ହୋଇଯାଇଛି ଦୁଇଦିନିଆ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୫।
ଭୁବନେଶ୍ୱର ସାମ୍ବାଦିକ ସଂଘ (ବିଜେଏ) ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀକୁ ବରିଷ୍ଠ ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର କଥାବସ୍ତୁ ରହିଥିଲା “ପ୍ରେସ୍ ଫର୍ ଦ ପ୍ଲାନେଟ୍” । ପରିବେଶ ସଚେତନତା ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବାରେ ଏକ ମୁକ୍ତ ପ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆକର୍ଷଣୀୟ ଫଟୋଚିତ୍ର ମାଧ୍ୟମରେ ଏହି ପ୍ରଦର୍ଶନୀରେ ପ୍ରେସ୍ ସ୍ୱାଧୀନତା ଏବଂ ଧରାପୃଷ୍ଠର ସୁରକ୍ଷା ଉପରେ ମହତ ବାର୍ତ୍ତା ଦିଆଯାଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ବିଭୂତି ଭୂଷଣ କର, ଭୁବନେଶ୍ୱର ଫଟୋଗ୍ରାଫିର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ସିଦ୍ଧାର୍ଥ ଦେ’, ‘ଆମ ଟିଭି’ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଣୟ ଜେଠି, ପୂର୍ବତନ କର୍ପୋରେଟର ନରେନ ସାହୁ ଓ ଉମାକାନ୍ତ ମିଶ୍ର ସମସାମୟିକ ସମୟରେ ଏଭଳି କଥାବସ୍ତୁ ଉପରେ ଅନୁଷ୍ଠିତ ପ୍ରଦର୍ଶନୀର ଭୂୟସୀ ପ୍ରଶଂସା କରିବା ସହ ଭୁବନେଶ୍ୱର ସାମ୍ବାଦିକ ସଂଘର ଉଲ୍ଲେଖନୀୟ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ୩୦ ଜଣରୁ ଅଧିକ ଫଟୋ ସାମ୍ବାଦିକ ଏଥିରେ ସାମିଲ ହୋଇଥିଲେ । ଫଟୋ ସାମ୍ବାଦିକ, ଫଟୋଗ୍ରାଫର, ଛାତ୍ରଛାତ୍ରୀ, ଫଟୋପ୍ରେମୀମାନେ ଏହି ପ୍ରଦର୍ଶନୀକୁ ବୁଲିବା ସହ ମୋବାଇଲରେ ଫଟୋଗୁଡ଼ିକୁ ଉତ୍ତୋଳନ କରିଥିଲେ ।


ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ଶ୍ରୀ ଜିତେନ୍ଦ୍ର ମହାନ୍ତିଙ୍କ ଉପସ୍ଥିତି ଏବଂ ସହଯୋଗରେ ଭୁବନେଶ୍ୱର ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ କୁମାର ସାହୁ କାର୍ଯ୍ୟକ୍ରମର ପରିଚାଳକ ଭାବରେ ସବୁପ୍ରକାର ଦାୟିତ୍ୱ ତୁଲାଇଥିଲେ । ସାମ୍ବାଦିକ ପ୍ରଦୀପ କୁମାର ଜେନା ମଞ୍ଚ ପରିଚାଳନା କରିବା ସହ ଶେଷ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ଏହି ପ୍ରଦର୍ଶନୀକୁ ଅନୁଭବ କରିବା ପାଇଁ ସବୁ ବର୍ଗ ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି ।

Comments are closed, but trackbacks and pingbacks are open.