ରାଜ୍ୟ ସରକାରଙ୍କ ଅକଟୋବର ଗାଇଡ଼ ଲାଇନ:ଟୁଇନ ସିଟି ରେ ରାତ୍ରି କାଳୀନ କର୍ଫ୍ୟୁ (ରାତି ୮ରୁ ସକାଳ ୫)

30

ପାର୍ବଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଜାରି କରିଛନ୍ତି I ଏହି ନିର୍ଦ୍ଦେଶାବଳୀ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ। ଏ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି। ଏସଆରସି ଙ୍କ ସୂଚନା ଅନୁସାରେ ଭିଡ଼ ନକରିବା ଏବଂ ଭିଡ଼ ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି I
ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇନାହିଁ। କେବଳ କଟକ ଓ ଭୁବନେଶ୍ୱର ସହର ପାଇଁ କଟକଣା ସାମାନ୍ୟ କଡ଼ାକଡ଼ି କରାଯାଇଛି। କଟକ ଓ ଭୁବନେଶ୍ୱର ଅକ୍ଟୋବର ୧୧ ତାରିଖରୁ ୨୦ ଯାଏ ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ। ଅର୍ଥାତ୍ ଏହି ଦୁଇଟି ଜିଲ୍ଲାର ସହରାଞ୍ଚଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଏସଆରସି।

ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ। ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଜାରି କରାଯାଇଛି।

ସେପ୍ଟେମ୍ବର ମାସ ପାଇଁ ବିବାହ ଓ ଅନ୍ତେଷ୍ଟି ଆଦି ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ବଳବତ୍ତର ରଖିଛନ୍ତି। ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି, ବରପକ୍ଷ, କନ୍ୟାପକ୍ଷ ଆଦି ସମସ୍ତଙ୍କୁ ମୋଟ ୨୫୦ଜଣ ସାମିଲ ହୋଇପାରିବେ। ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ। ବ୍ୟାଣ୍ଡ-ବାଜା ସହ ବର ସହ ସର୍ବାଧିକ ୫୦ଜଣ ଲୋକ ରୋଷଣୀ କରି ଯାଇପାରିବେ। କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ।

ଗାଇଡଲାଇନ୍ ଅନୁସାରେ ବର୍ତ୍ତମାନ ଭଳି ମଲ, ସିନେମା ହଲ୍ ଆଦି ଖୋଲା ରହିବ। ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଦି କାର୍ଯ୍ୟକ୍ରମ ଉପରେ ପୂର୍ବବତ କଟକଣା ବଳବତ୍ତର ରହିବ। ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଗୁଡ଼ିକରେ କେବଳ ସରକାରୀ କାର୍ଯ୍ୟକ୍ରମ ହୋଇପାରିବ। ସମ୍ପୃକ୍ତ ସମ୍ମିଳନୀ କକ୍ଷର ସିଟ୍ କ୍ଷମତା ଅନୁସାରେ ଲୋକେ ସାମିଲ ହୋଇପାରିବେ ଓ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ I

ସୂଚନା ଥାଉ କି ପାର୍ବଣ ଋତୁ ରେ ଅଧିକ ସଂକ୍ରମଣ ନ ବ୍ୟାପିବା ପାଇଁ କେନ୍ଦ୍ର ସରକାର ମଧ୍ୟ ୫ ଟି ରଣନୀତି ଆପଣେଇବାପାଇଁ ଗାଇଡ଼ ଲାଇନ ଜାରି କରି ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I

Leave A Reply

Your email address will not be published.