କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଙ୍କୁ ଭେଟିଲେ କ୍ୟାପଟେନ ଅମରିନ୍ଦର ସିଂ

28

ବିଜେପିରେ ସାମିଲ୍ ହେବେ କ୍ୟାପଟେନ୍ ଅମରିନ୍ଦର ସିଂହ ? ଅମିତ୍ ଶାହାଙ୍କୁ ଭେଟିବାକୁ ବାସଭବନରେ ପହଞ୍ଚିଲେ
ପଞ୍ଜାବ ରାଜନୀତିରେ ବର୍ତ୍ତମାନ ହଟଚମଟ ଜାରି ରହିଛି I ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ହଠାତ୍‌ ଆଜି ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ସେହିପରି ଗତକାଲି ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ନବଜୋତ ସିଂହ ସିଦ୍ଧୁ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି I ତେଣୁ ପଞ୍ଜାବ ରାଜନୀତିର ଗତି ସଠିକ ଭାବରେ ଆକଳନ କରିବା ମୁସ୍କିଲ ହୋଇଛି I
ଶାହା ଓ ଅମରିନ୍ଦର ଭେଟ ପଞ୍ଜାବ ରାଜନୀତିରେ ନୂତନ ମୋଡ ନେବାର ସମ୍ଭାବନା ରହିଛି। ଗଣମାଧ୍ୟମ କୁ ସୂଚନା ଦେଇ ଅମରିନ୍ଦର କହିଛନ୍ତି,ତାଙ୍କର ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ଦିଲ୍ଲୀ ଗସ୍ତ ଏବଂ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ। ପୂର୍ବରୁ ଅମରିନ୍ଦର ପାର୍ଟିରେ ତାଙ୍କୁ ଘୋର ଅପମାନ କରାଯାଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
କ୍ୟାପଟେନ ଅମରିନ୍ଦର ସିଂହ ନିଜର ଆଗାମୀ ପଦକ୍ଷେପ ବିଷୟରେ କିଛି ମୁହଁ ଖୋଲି କହି ନାହାନ୍ତି। ହେଲେ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପଞ୍ଜାବ ରାଜନୀତିରେ ଚହଳ ପକାଇଛି। ଇସ୍ତଫା ଦେବା ପରେ କ୍ୟାପଟେନ୍ କହିଥିଲେ ଯେ, ତାଙ୍କ ପାଖରେ ସବୁ ବିକଳ୍ପ ଖୋଲା ଅଛି। ସେ ନିଜର ସହଯୋଗୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ନେବେ । ଗତକାଲି ଚଣ୍ଡିଗଡରୁ ଦିଲ୍ଲୀ ପହଞ୍ଚିଥିବା କ୍ୟାପଟେନ୍ କହିଥିଲେ ଯେ, ସେ ଏଠାକୁ ଘର ଖାଲି କରିବାକୁ ଆସିଛନ୍ତି। ଏଠାରେ କୌଣସି ରାଜନୈତିକ ନେତାଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ନାହିଁ। ଏହା ସଂପୂର୍ଣ୍ଣ ମୋର ବ୍ୟକ୍ତିଗତ ଦିଲ୍ଲୀ ଗସ୍ତ। ମୁଁ କପୁରଥାଲା ହାଉସର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବାକୁ ଆସିଛି।
କ୍ୟାପଟେନ୍ ଅମରିନ୍ଦର ସିଂହ ପରୋକ୍ଷରେ ସିଦ୍ଧୁଙ୍କୁ ପଞ୍ଜାବ ରାଜ୍ୟର ସୁରକ୍ଷାରେ ବିପଦ ଦର୍ଶାଇଥିଲେ। ତାଙ୍କ କହିବା କଥା ନବଜୋତ ସିଦ୍ଧୁ କଂଗ୍ରେସରେ ଜଣେ ବିପଦ ସଦୃଶ। କଂଗ୍ରେସ ତାଙ୍କୁ ସଭାପତି କରିବାର ନଥିଲା। ସିଦ୍ଧୁ ପାକିସ୍ତାନର ସେନା ପ୍ରମୁଖ ବାଜଓ୍ଵା ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରମ ମିତ୍ର। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ରାଜ୍ୟର ସୁରକ୍ଷା ବିପଦରେ ପଡିଯିବ। ତେଣୁ ମୁଁ ଥିବା ଯାଏ ସିଦ୍ଧୁଙ୍କୁ କେବେ ବି ମୁଖ୍ୟମନ୍ତ୍ରୀ କରିବାକୁ ଦେବି ନାହିଁ ବୋଲି ଅମରିନ୍ଦର ସିଂହ କହିଛନ୍ତି।
ଏବେ ପଞ୍ଜାବଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ମହଲରେ କ୍ୟାପଟେନ୍‌ଙ୍କ ବିଜେପିରେ ସାମିଲ୍ ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଜୋରଧରିଛି ।

Leave A Reply

Your email address will not be published.