ପାକିସ୍ତାନର ଆତଙ୍କବାଦ ସମ୍ପର୍କ ରେ ମୋଦିଙ୍କ ସହ କଥା ହେଲେ କମଳା ହ୍ୟାରିସ

28

ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରଥମଥର ପାଇଁ ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ଆତଙ୍କବାଦ ସମ୍ପର୍କରେ ଆଲୋଚନା କରିଛନ୍ତି। ଉଭୟ ଆଫଗାନିସ୍ତାନ ଠାରୁ ଆରମ୍ଭ କରି ଆତଙ୍କବାଦ ଓ କୋଭିଡ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ତେବେ ଏହି ପ୍ରସଙ୍ଗ ରେ କମଳା ହ୍ୟାରିସ ନିଜ ଆଡ଼ୁ ପାକିସ୍ତାନର ଆତଙ୍କବାଦ ପ୍ରୀତି କଥା ଉଠାଇଛନ୍ତି। ପାକିସ୍ତାନରେ ଆତଙ୍କବାଦୀ ମାନେ ନିର୍ଭୟ କାର୍ଯ୍ୟ କରୁଥିବା ସେ କହିବା ସହ ଇସଲାମାବାଦକୁ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପାକିସ୍ତାନ ସହ ତାଲିବାନଙ୍କ ସମ୍ପର୍କ କଥା ମଧ୍ୟ ଏହି ବୈଠକରେ ଉଠିଛି।ଭାରତ ଓ ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।

ସୀମା ପାର ଆତଙ୍କୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଯେଉଁ ସବୁ ତଥ୍ୟ ଦେଲେ, ସେଥିରେ ସେ ଏକମତ ହୋଇଛନ୍ତି। ସେହିପରି ସୀମା ପାର ଆତଙ୍କବାଦ ଦ୍ୱାରା ଭାରତ କେମିତି ପ୍ରଭାବିତ ହେଉଛି, ସେକଥାକୁ ମଧ୍ୟ ବୁଝିଛନ୍ତି। ପାକିସ୍ତାନ କେମିତି ଆତଙ୍କୀ ସଂଗଠନକୁ ସମର୍ଥନ କରୁଛି, ତା’ ଉପରେ ନଜର ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।”
କମଳା ହ୍ୟାରିସ କହିଛନ୍ତି,“ବର୍ତ୍ତମାନ ସମଗ୍ର ବିଶ୍ୱରେ ଗଣତନ୍ତ୍ର ବିପଦରେ ରହିଛି। ଭାରତ ଓ ଆମେରିକା ନିଜ ନିଜ ଦେଶରେ ଏହାକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରି ଚାଲିଛନ୍ତି। ଲୋକଙ୍କ ସ୍ୱାର୍ଥକ ଗୁରୁତ୍ୱ ଦେଇ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କରାଯିବା ଦରକାର।”

ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଘଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଯେତେବେଳେ ଆତଙ୍କବାଦ କଥା ଉଠିଲା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ଏଥିରେ ପାକିସ୍ତାନର ଭୂମିକା କଥା ନିଜ ଆଡ଼ୁ ଆଲୋଚନାରେ ସାମିଲ କରିଥିଲେ।

ଆଜି ପ୍ରଧାନ ମନ୍ତ୍ରୀ ମୋଦି କ୍ୱାଡ ବୈଠକରେ ଯୋଗଦେବେ। ଏହାପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି I

Leave A Reply

Your email address will not be published.