ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ବ୍ୟକ୍ତିଗତ ସଚିବ

172

ଭୁବନେଶ୍ୱର: ଇଣ୍ଟର କ୍ୟାଡ୍‌ର ଡେପୁଟେସନ୍‌ରେ ଆସିଥିବା ୨୦୦୬ ବ୍ୟାଚ୍‌ର ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ଏବେ ସିଏମ୍‌ଓରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ। ତାଙ୍କୁ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଶନିବାର ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁଆରୀ ୨ରେ ସିଏମ୍‌ଓରୁ ବଦଳିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୧୧ ବ୍ୟାଚର ଆଇଏଏସ୍ ଅରିନ୍ଦମ ଡାକୁଆ। ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିବା ଅରିନ୍ଦମ ଡାକୁଆଙ୍କୁ ହଠାତ୍ ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ କାହିଁକି ବଦଳି କରାଗଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ମନୋଜ ସାହୁ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ପାଇବା ପରେ ତାହା ସ୍ପଷ୍ଟ ହୋଇଛି। ଗତ ନଭେମ୍ବର ୧୭ଠାରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଓଡ଼ିଶା କ୍ୟାଡର୍‌କୁ ଆସିଛନ୍ତି ମନୋଜ ସାହୁ। ତାଙ୍କୁ ଓଡ଼ିଶା କ୍ୟାଡର୍‌ରେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ଅନୁରୋଧ କରିବା ପରେ ସେ ତିନିବର୍ଷ ପର୍ଯ୍ୟନ୍ତ ଇଣ୍ଟର-କ୍ୟାଡର୍ ଡେପୁଟେସନ୍‌ରେ ଆସିଛନ୍ତି। ଜଗତପୁରସିଂହ ଜିଲ୍ଲା ବାଲିକୁଦା ବ୍ଲକ୍ ସିଙ୍ଗାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ କ୍ୟାଡର୍ ଆଇଏଏସ୍ ଅଧିକାରୀ। ସେ ଦିଲ୍ଲୀ ଡେପୁଟି ଇଲେକ୍ସନ୍ କମିଶନର୍ ଭାବେ ନିଯୁକ୍ତି ପାଇଥିଲେ। ସେହିପରି ସେ ଦାଦ୍ରା ନଗର ହାବେଳୀ ଓ ଦାମନ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅରୁଣାଚଳ ପ୍ରଦେଶର ୱେଷ୍ଟ୍‌ସିଆଙ୍ଗ ଓ କୁରୁଙ୍ଗ କୁମେୟର ଜିଲ୍ଲାପାଳ ଭାବେ ଭଲ କାର୍ଯ୍ୟକରି ବେଶ୍ ସୁନାମ ଅର୍ଜିଛନ୍ତି। ସେଥିପାଇଁ ଓଡ଼ିଶାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି।

Comments are closed, but trackbacks and pingbacks are open.