କିଟ୍‍ ନଲେଜ୍‍ ଟ୍ରି ବକ୍ତୃତାମାଳା

51

ଛାତ୍ରଛାତ୍ରୀମାନେ ଶିକ୍ଷା ସହ ନୈତିକତା ବଜାୟ ରଖନ୍ତୁ: ଏଡ୍‍ୱାର୍ଡ ହେଗର

ଭୁବନେଶ୍ୱର, ୧୯ । ୧୨: କିଟ୍‍ ନଲେଜ୍‍ ଟ୍ରି ବକ୍ତୃତାମାଳାରେ ଆଜି ସ୍ଲୋଭାକିଆର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଏଡ୍‍ୱାର୍ଡ ହେଗର ବକ୍ତୃତା ପ୍ରଦାନ କରି କିଟ୍‍ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ନୈତିକତା ଓ ସମାଜ ପ୍ରତି ପ୍ରତିବଦ୍ଧତା ରଖିବାକୁ ପରାମର୍ଶ ଦେଇଥିଲେ । ସେ କହିଲେ, ଆଜିର ଯୁଗରେ ଶିକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ଶାନ୍ତି ଆଣିପାରେ, ଶିକ୍ଷା ଗୋଟିଏ ଦେଶକୁ ପରିବର୍ତ୍ତନ କରିପାରେ ଏବଂ ଶିକ୍ଷା ଜଣକ ଜୀବନରେ ସମୃଦ୍ଧି ଆଣିଥାଏ । ଛାତ୍ରଛାତ୍ରୀମାନେ କେବଳ ଶିକ୍ଷା ଗ୍ରହଣ କରି ନିଜେ କିପରି ପ୍ରତିଷ୍ଠିତ ହେବେ ସେ ବିଷୟରେ ଚିନ୍ତା ନ କରି ନିଜ ପରିବେଶ, ସମାଜ, ରାଜ୍ୟ ଓ ଦେଶରେ କିପରି ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭ୍ରାତୃତ୍ୱଭାବ ବଜାୟ ରହିବ ସେ ଦିଗରେ ନିଜ ଜ୍ଞାନ ଓ ଦକ୍ଷତାର ବିନିଯୋଗ କରିବା ଉଚିତ। କେବଳ ପ୍ରତିଷ୍ଠା ଏବଂ ଅର୍ଥ ବଳରେ ଜୀବନରେ ଶାନ୍ତି ଆସିପାରେ ନାହିଁ। ସମାଜ ପ୍ରତି ପ୍ରତିଦାନରେ ପ୍ରକୃତ ଶାନ୍ତି ମିଳିଥାଏ। ସମାଜ ପ୍ରତି ପ୍ରତିବଦ୍ଧତା ଓ ପ୍ରତିଦାନର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଅଚ୍ୟୁତ ସାମନ୍ତ ବୋଲି ସେ କହିଥିଲେ। ସେ କହିଲେ ଉତ୍ତମ ଚରିତ୍ରର ବ୍ୟକ୍ତି ଜଣେ ଭଲ ନେତା ହୋଇପାରେ। ନୈତିକତା ଓ ମୂଲ୍ୟବୋଧ ସହ ନେତାମାନେ ଅନ୍ୟମାନଙ୍କ ପାଇଁ ରୋଲ ମଡେଲ୍‍ ହୋଇପାରିବେ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ଅନ୍ୟମାନଙ୍କ ପ୍ରତି ସର୍ବଦା ନମ୍ର ଓ ଦୟାଶୀଳ ହେବା ଉଚିତ। ଆମର ପୂର୍ବଜଙ୍କଠାରୁ ଜ୍ଞାନ ଆହରଣ କରି ତାହାକୁ ସମାଜସେବା ଓ ଦେଶକୁ ନେତୃତ୍ୱ ଦେବାରେ ବିନିଯୋଗ କରିବା ଉଚିତ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଇ ସେ କହିଲେ ଯେଉଁମାନଙ୍କର ସାହସ ଓ ଉତ୍ସର୍ଗୀକୃତ ମନୋଭାବ ରହିଛି ସେମାନେ ସମାଜରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିପାରିବେ। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ସକାଳେ ଏଡ୍‍ୱାର୍ଡ କିଟ୍‍ ଓ କିସ୍‍ ପରିଦର୍ଶନ କରିବା ସହ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। କିସ୍‍ ପରିଦର୍ଶନ କରି ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ସେ ଭୂୟସୀ ପ୍ରଶଂସା କରିଥିଲେ ।

Comments are closed, but trackbacks and pingbacks are open.