ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଆଧୁନିକ ସହର କରିବା – ଧର୍ମେନ୍ଦ୍ର ପ୍ରଧାନ

183

‘ସ୍ୱାୟତ୍ତ ଶାସନ ଦିବସ’ରେ କଟକରେ ବିଭିନ୍ନ କାର୍ଯ୍ୟରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

କଟକ : ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଆଧୁନିକ ସହର କରିବା I ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ନିଗମ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ସଂସ୍କୃତିର ପୀଠ ଏବଂ ଓଡ଼ିଆ ସଂଗ୍ରାମର ପେଣ୍ଠସ୍ଥଳୀ ହେଉଛି କଟକ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ଏବଂ ବଡ଼ ମେଡିକାଲ କଟକର ଗାରିମା ଓ ଅନନ୍ୟ ପରିଚୟକୁ ପ୍ରତିଫଳିତ କରିଆସିଛି । ଏଠାରେ ପାଳିତ ଐତିହାସିକ ‘ବାଲିଯାତ୍ରା’ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟର ମୁକସାକ୍ଷୀ । ପୁରାତନ ସଭ୍ୟତାର ପ୍ରାଣକେନ୍ଦ୍ର କଟକକୁ ଏକ ଆଧୁନିକ ସହର ଭାବେ ତିଆରି କରିବା ପାଇଁ ଆମ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରରେ ୫୦ କୋଟି ଟଙ୍କା ବ୍ୟୟରେ ୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ପ୍ରଥମେ ଖାନନଗର ଠାରେ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମିତ ‘ଗ୍ୟାସଚୁଲା ଶବଦାହ କେନ୍ଦ୍ର’ର ଲୋକାର୍ପଣ କରିଥିଲେ । ପରେ ବକ୍ସି ବଜାର ଠାରେ ପାଇକ ବିଦ୍ରୋହର କର୍ଣ୍ଣଧାର ତଥା ମହାନ୍ ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଦରଘା ବଜାର ଠାରେ ‘ନେତାଜୀ ସ୍ମାରକୀ ପ୍ରତିଷ୍ଠାନ’କୁ ମଧ୍ୟ ଉଦଘାଟନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଟାଉନ ହଲରେ ଏକ ଅତ୍ୟାଧୁନିକ୍ ଆର୍ଟ ଗ୍ୟାଲେରୀକୁ ମଧ୍ୟ ଶ୍ରୀ ପ୍ରଧାନ ଉଦଘାଟନ କରିବା ସହ ବୁଲି ଦେଖିଥିଲେ।

Comments are closed, but trackbacks and pingbacks are open.