ଆଇଏଏସ୍ କୋଚିଂ ସେଣ୍ଟର ମୃତ୍ୟୁ ଘଟଣା: ସିବିଆଇକୁ ତଦନ୍ତ ଦାୟିତ୍ୱ

1,356

ନୂଆଦିଲ୍ଲୀ: ନୂଆମୋଡ ନେଇଛି ଦିଲ୍ଲୀ ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ରାଓ ଆଇଏଏସ୍ କୋଚିଂ ସେଣ୍ଟରର ବେସ୍‌ମେଣ୍ଟ ଟ୍ରାଜେଡି ଘଟଣା । ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ କରାଯାଇଛି । ଅର୍ଥାତ୍ ଏହି ଘଟଣାରେ ସିବିଆଇ ନିଜ ହିସାବରେ ତଦନ୍ତ ଆରମ୍ଭ କରିବ । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏସମ୍ପର୍କୀତ ଆଗତ କିଛି ପିଟିସନ୍ ଉପରେ ସାମୂହିକ ଶୁଣାଣି କରିବା ପରିପ୍ରେକ୍ଷୀରେ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରିପ୍ରେକ୍ଷୀରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀ (ଶ୍ରେୟା ଯାଦବ, ତାନ୍ୟା ସୋନି ଏବଂ ନବୀନ ଡାଲବିନ୍‌)ଙ୍କ ମୃତ୍ୟୁକୁ ନେଇ ଯେପରି ସର୍ବସାଧାରଣଙ୍କର କୌଣସି ସନ୍ଦେହ ନ ରହିବ, ସେଥିପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବାର ଆବଶ୍ୟକତା ଥିବା ଖଣ୍ଡପୀଠ ଅନୁଭବ କରୁଛନ୍ତି । ତେବେ ସିବିଆଇର ତଦନ୍ତ ପ୍ରକ୍ରିୟା ତଦାରଖ ପାଇଁ ଜଣେ ବରିଷ୍ଠ ଭିଜିଲାନ୍ସ ଅଧିକାରୀଙ୍କୁ ମନୋନୀତ କରିବାକୁ ହାଇକୋର୍ଟ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ଦିଲ୍ଲୀ ପୁଲିସ୍ ଏବଂ ନଗର ନିଗମର ଖାମଖିଆଲି ମନୋଭାବ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । କୋଚିଂ ସେଣ୍ଟର ବେସ୍େ‌ମଣ୍ଟରେ ପାଣି ପଶିଯିବାକୁ ନେଇ ଦିଲ୍ଲୀ ପୁଲିସ ଜଣେ ଏସୟୁଭି ଡ୍ରାଇଭରଙ୍କୁ ଗିରଫ କରିଥିଲା । ଏହାକୁ ନେଇ ଦିଲ୍ଲୀ ପୁଲିସକୁ କଡା ଭର୍ସନା କରିଛନ୍ତି ହାଇକୋର୍ଟ । ଯଦି ଡ୍ରାଇଭରଙ୍କୁ ଗିରଫ କଲ, ତେବେ ଡ୍ରେନ୍ ପାଣି ବିରୁଦ୍ଧରେ ଚାଲାଣ କାଟିଲନି ବୋଲି ତାଚ୍ଛଲ୍ୟ କରି କହିଛନ୍ତି ଖଣ୍ଡପୀଠ । ଯେଉଁମାନେ ବାସ୍ତବରେ ଏହି ଘଟଣାରେ ଦୋଷୀ ସେମାନଙ୍କୁ ଛାଡି ଅନ୍ୟମାନଙ୍କୁ ଅଯଥାରେ ନ୍ୟାୟିକ ପ୍ରକ୍ରିୟାକୁ ଟାଣିବାର କିଛି ଯଥାର୍ଥତା ନାହିଁ କହି ଦିଲ୍ଲୀ ପୁଲିସ୍‌କୁ ତୀବ୍ର ସମାଲୋଚନା କରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଧିକାରୀଙ୍କ ବିରୋଧରେ କି କି ପଦକ୍ଷେପ ନିଆଯାଇଛି ଏବଂ ବନ୍ୟା ଜଳ କାହିଁକି ନିଷ୍କାସନ ହୋଇ ପାରୁନାହିଁ ବୋଲି ଦିଲ୍ଲୀ ପୌରପାଳିକାକୁ ମଧ୍ୟ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଗତ ୨୭ତାରିଖରେ ରାଓ ଆଇଏଏସ୍ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ଥିବା ଲାଇବ୍ରେରୀରେ ପ୍ରାୟ ୨୦ରୁ ଅଧିକ ୟୁପିଏସ୍‌ସି ଆଶାୟୀ ପଢ଼ାପଢ଼ି କରୁଥିବା ସମୟରେ ହଠାତ୍ ବନ୍ୟାଜଳ ବେସ୍‌ମେଣ୍ଟ ମଧ୍ୟକୁ ପ୍ରବେଶ କରିଥିଲା । ୧୭ଜଣ ଛାତ୍ରଛାତ୍ରୀ ଯେନତେନ ପ୍ରକାରେ ସେଠାରୁ ବାହାରି ଆସିବାରେ ସଫଳ ହୋଇଥିଲେ ମଧ୍ୟ ୩ଜଣ ଛାତ୍ରଛାତ୍ରୀ ବାହାରକୁ ଆସିପାରିନଥିଲେ । ବେସ୍‌ମେଣ୍ଟର ଗଭୀରତା ରାସ୍ତା ପତନ ଠାରୁ ୮/୯ ଫୁଟ ତଳେ ରହିଥିବାରୁ ଏହି ଛାତ୍ରଛାତ୍ରୀମାନେ ବୁଡ଼ିଯାଇ ପ୍ରାଣ ହରାଇଥିଲେ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ପୁଲିସ୍ ଏହି ଘଟଣାରେ କୋଚିଂ ସେଣ୍ଟର ମାଲିକ, ସଂଯୋଜକଙ୍କ ସମେତ ମୋଟ୍ ୭ଜଣଙ୍କୁ ଗିରଫ କରିସାରିଛି । ତେବେ ଏହି ଘଟଣାରେ ସିବିଆଇ ତଦନ୍ତ ଦାବି ଜୋର ଧରିବା ସହ ହାଇକୋର୍ଟରେ ଏନେଇ ଆବେଦନ କରାଯାଇଥିଲା । ହାଇକୋର୍ଟ ମଧ୍ୟ ଏହା ଉପରେ ଶୁଣାଣି କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ମଧ୍ୟରେ ରାଓ କୋଚିଂ ସେଣ୍ଟର ପକ୍ଷରୁ ମାମଲା ଲଢ଼ୁଥିବା ଆଡଭୋକେଟ୍‌, ମୃତ ୩ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଲେଖାଏ ଦେବାକୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ଆଡଭୋକେଟ୍ କହିଛନ୍ତି, ୫୦% ଅର୍ଥ ଏବେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ ଏବଂ ବାକି ୫୦% ଅର୍ଥ ରାଓ କୋଚିଂ ସେଣ୍ଟର ମାଲିକ ଅଭିଶେକ ଗୁପ୍ତା ଜେଲ୍‌ରୁ ବାହାରକୁ ଆସିବା ପରେ ଦିଆଯିବ । ସେହିପରି ଦିଲ୍ଲୀର ଅନ୍ୟତମ ପ୍ରଖ୍ୟାତ କୋଚିଂ ସେଣ୍ଟର ଦୃଷ୍ଟି ଆଇଏଏସ୍‌ର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି ମଧ୍ୟ ମୃତ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଦେବାକୁ ଘୋଷଣା କରିଛନ୍ତି ।

Comments are closed, but trackbacks and pingbacks are open.