ପ୍ରବଳ ଗୁଳୁଗୁଳି, ସକାଳୁ ସକାଳୁ ପାରଦ ୩୯ ଛୁଇଁଲାଣି

21

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସହ, ପ୍ରବଳ ଗୁଳୁଗୁଳି । ଆଜି ସକାଳୁ ସକାଳୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେଲାଣି । ଆଜି ସକାଳ ୮ଟା  ୩୦ ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ସହ ଭବାନୀପାଟଣା ସବୁଠୁ ଉତପ୍ତ ସହର । ସେହିପରି ଟିଟିଲାଗଡ଼ ୩୮ ଡିଗ୍ରୀ,  ବଲାଙ୍ଗୀରରେ ୩୭.୪,  ସୋନପୁରରେ୩୬.୬ , ଝାରସୁଗୁଡା ୩୬.୬, ହୀରାକୁଦ ୩୬.୪, ସମ୍ବଲପୁର ୩୬.୨,   ରାଉରକେଲା ୩୫.୪, ବରଗଡ ୩୫.୪,  ବୌଦ୍ଧ  ୩୬, ସୁନ୍ଦରଗଡ ୩୪, ତାଳଚେର ୩୪.୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

ତେବେ ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀ ପାରଦ ୩୧ ଡିଗ୍ରୀ ଛୁଇଁଥିଲା । ଏହାରି ଭିତରେ ବାୟୁମଣ୍ଡଳର ଆଦ୍ରତା ୮୭% ରେକର୍ଡ ହୋଇଥିବାରୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଛି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି କେରଳ ଛୁଇଁପରେ ମୌସୁମୀ ବାୟୁ । ଆଜି ଦକ୍ଷିଣପଶ୍ଚିମ ମୌସୁମୀବାୟୁ କେରଳ ଛୁଇଁଵା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏହାର ପ୍ରଭାବରେ ପାଗ ବଦଳିପାରେ ।

ତେବେ ଗତକାଲି ରାଜ୍ୟର ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିବା ବେଳେ ଆଜି ମଧ୍ୟ ସହି ସମାନ ସ୍ଥିତି ବଜାୟ ରହିବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ । ଦିନ ଅପେକ୍ଷା ରାତିରେ ଏହାର ପ୍ରଭାବ ବେଶୀ ରହିବ। ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆହୁରି ମଧ୍ୟ ଆଜି ପାଇଁ ବଲାଙ୍ଗିର, ସୋନପୁର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ କେତେକ ସ୍ଥାନରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ନୂଆପଡ଼ା, ବରଗଡ଼, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ,କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଗରମ ସାଙ୍ଗକୁ ଗୁଳୁଗୁଳି ହେବାର ସମ୍ଭାବନା ରହିଛି।

Comments are closed, but trackbacks and pingbacks are open.