କେନ୍ଦ୍ରାପଡ଼ାରେ ନବୀନଙ୍କ ନିର୍ବାଚନୀ ପ୍ରଚାର, ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ କଲେ ଟାର୍ଗେଟ

39

କେନ୍ଦ୍ରାପଡା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ସଭାରେ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସରକାରଙ୍କ ଯୋଜନା ଭଲ କି ନାହିଁ ବୋଲି ଜନସାଧାରଣଙ୍କୁ ପଚାରି ବୁଝିଛନ୍ତି ନବୀନ । ଏହାସହ ବିଜେଡି ସରକାର ଆସିଲେ ଜୁଲାଇରୁ ବିଜୁଳି ବିଲ ପୁରା ଛାଡ୍ କରାଯିବ ବୋଲି କହିଛନ୍ତି ନବୀନ । ଏହି ସମୟରେ ସେ ବିରୋଧିକୁ ଟାର୍ଗେଟ କରିଛନ୍ତି । ବିରୋଧି ନେତାମାନେ ମିଛ କଥା କହୁଛନ୍ତି  । କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ନବୀନ ।

ନବୀନ କହିଛନ୍ତି ମୁଁ ଜଣେ ବ୍ୟକ୍ତିଙ୍କୁ ୨ ଥର କେନ୍ଦ୍ରାପଡା ଦାୟିତ୍ବ ଦେଇଥିଲି , ସେ କେନ୍ଦ୍ରାପଡା ପାଇଁ କିଛି ନକରି ସବୁ ନିଜ ପାଇଁ ଏବଂ ତାଙ୍କ କମ୍ପାନୀ ପାଇଁ କାମ କଲେ । ସେ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କଲେ ବୋଲି ନିର୍ବାଚନୀ ସଭାରେ କହିଲେ ନବୀନ । ଦଳୀୟ ପ୍ରାର୍ଥୀ ଏବଂ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରନ୍ତୁ ବୋଲି କହିଛନ୍ତି ନବୀନ ।

ସେହିପରି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବିରୋଧି ଗୁଜବ କରୁଛନ୍ତି  । ଆମ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଉଦ୍ୟମ ଚଳାଇଛନ୍ତି । କେନ୍ଦ୍ରାପଡାର ବିକାଶ ମୁଖ୍ୟମନ୍ତ୍ରୀ ସବୁବେଳେ ଚାହିଁଛନ୍ତି  । ନାଁ ନନେଇ ପୂର୍ବତନ ସାଂସଦଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ସବୁବେଳେ ବିଶ୍ବାସ କଲେ କିନ୍ତୁ ସେ କେନ୍ଦ୍ରାପଡା ବିକାଶ ପରିବର୍ତେ ନିଜର ପୁଞ୍ଜି ବଢାଇଲେ ।

ସେ ଚାହୁଁଥିଲେ ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବାପାଇଁ ।କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁଭବ କଲେ ସେ ତାଙ୍କ ନିଜସ୍ୱ ଲାଭ ପାଇଁ ଚାହୁଁଛନ୍ତି  । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେହିଦିନଠାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ବିଭିନ୍ନ ଗୁଜବ ସୃଷ୍ଟି କରିଥିଲେ । ଏମିତିକି ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବିଷୟରେ ପୂର୍ବତନ ସାଂସଦ ଗୁଜବ ସୃଷ୍ଟି କରି କହିଥିଲେ। ସେ ମଧ୍ୟ ତାଙ୍କ ନିଜସ୍ୱ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରସାରଣ କଲେ ବୋଲି କହିଛନ୍ତି ପାଣ୍ଡିଆନ  ।

ବିଜୁବାବୁଙ୍କ କର୍ମଭୂମି ଥିଲା ଏହି କେନ୍ଦ୍ରାପଡ଼ା ମାଟି, କେନ୍ଦ୍ରାପଡ଼ାର ବିକାଶ  ପାଇଁ ସେ ବହୁତ କାମ କରିଥିଲେ ।ବିଜୁ ବାବୁ ତାଙ୍କର ସବୁ କିଛି ଛାଡି ରାଜନୀତି କୁ ଆସିଥିଲେ ଓଡିଶା ମା ର ସେବା କରିବା ପାଇଁ । ବାହାରୁ ବଡ଼ ବଡ଼ ନେତା ଆସିବେ ମିଛ କଥା କହିବେ, ଅପପ୍ରଚାର କରିବେ, ସେମାନଙ୍କ କୁମ୍ଭୀର କାନ୍ଦଣାର ଆପଣମାନେ ଉଚିତ ଜବାବ୍‍ ଦିଅନ୍ତୁ । ଆପଣମାନଙ୍କ ଓ ବଳଦେବଜୀଉଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ । ଶପଥ ନେବା ପରେ ଆପଶମାନଙ୍କୁ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ଭିକେ ପାଣ୍ଡିଆନ ।

Comments are closed, but trackbacks and pingbacks are open.