ବାପାଙ୍କ ବଳରେ ବଳିଆନ ହେବେକି ସୋଫିଆ ?

42

କଟକ: ବାରବାଟୀ- କଟକରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋଶ  । ସୋଫିଆ ଫିର୍ଦ୍ଦୋଶ, କଂଗ୍ରେସର ଟାଣୁଆ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ । ରିଏଲି ଷ୍ଟେଟରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ସୋଫିଆ ଏବେ ବାପାଙ୍କ ବଦଳରେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ବାପାଙ୍କ କାନ୍ଧରୁ ମଙ୍ଗ ଭାର ହାଲୁକା କରି ଏଥର ପ୍ରଚାର ମୈଦାନରେ କସରତ କରୁଛନ୍ତି ସୋଫିଆ । ଚର୍ଚ୍ଚା ଜୋର ଧରିଛି ଏଥର ବାଜି ମାରିପାରନ୍ତି ସୋଫିଆ ଫିର୍ଦ୍ଦୋଷ । ବାପାଙ୍କ ବଳରେ ହୋଇପାରନ୍ତି ବଳିଆନ ।

କାରଣ କଟକ ଆସନର ଜଣେ ଟାଣୁଆ ତଥା ଲୋକପ୍ରିୟ ନେତା ହେଉଛନ୍ତି ମହମ୍ମଦ ମୋକିମ୍ । ପ୍ରଥମ ଥର ୨୦୧୪ରେ କଟକ ବିଧାନସଭା ପାଇଁ ନିର୍ବାଚନ ଲଢି ହାରିବା ପରେ ୨୦୧୯ରେ  ପ୍ରାର୍ଥୀ ହୋଇ ବାରବାଟୀ ବିଧାୟକ ହୋଇଥିଲେ ମୋକିମ୍ । ତେବେ ଏବେ କିନ୍ତୁ ଭିଜିଲାନ୍ସ ହରଡ ଘଣାରେ ମୋକିମ୍ । ଓଡିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଦୁର୍ନୀତି ମାମଲାରେ ୨୦୨୨ରେ ଭୁବେନଶ୍ବର ଭିଜିଲାନ୍ସ  କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜରିମାନା କରିଥିଲେ । ଏବେ ଏଥିରୁ ଟିକେ ଆଶ୍ବସ୍ତି ମିଳିଥିଲେ ସୁଦ୍ଧା ପଲିଟିକାଲ କ୍ୟାରିୟର କିନ୍ତୁ ସଂକଟାପର୍ଣ୍ଣ । ସେଥିପାଇଁ ବାପାଙ୍କ ବଦଳରେ ଏବେ ନିର୍ବାଚନ ଲଢିବେ ଝିଅ ସୋଫିଆ ।

ତେବେ ପୂର୍ବରୁ ମଧ୍ୟ ପ୍ରଚାର ମଇଦାନରେ ବେଶ୍ ଦୌଡିଛନ୍ତି ସୋଫିଆ ହେଲେ ତଫାତ୍ ଖାଲି ଏତିକି ପୂବର୍ରୁ ବାପାଙ୍କ ପାଇଁ ଦୌଡୁଥିଲେ, ଏଥର ନିଜ ପାଇଁ  । ଯାହା ପାଇଁ ମଇଦାନରେ ବେଶ୍ ପରିଚିତ ସୋଫିଆ । ତଥାପି ସୋଫିଆଙ୍କ ଏ ଯାତ୍ରା ଏତେ ବି ସହଜ ନୁହଁ । କାରଣ ପ୍ରତିଦ୍ବନ୍ଦିତାର ଗୋଟେ ପଟେ ବିଜେଡିର ପ୍ରକାଶ ବେହେରା ଥିବା ବେଳେ ଅନ୍ୟପଟେ ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଦୁହେଁ ପୁରୁଣା ସହ ଅଭିଜ୍ଞ ମଧ୍ୟ । ତେବେ ଦେଖାଯାଉ ନୂଆ କରି ମଇଦାନକୁ ଓହ୍ଲାଇଥିବା ସୋଫିଆ ବାପାଙ୍କ ନାଆରେ ନିର୍ବାଚନ ବୈତରଣୀ ପାର ହେଉଛନ୍ତି ନା ଅଭିଜ୍ଞ ନେତାଙ୍କ ବିପକ୍ଷରେ କିଛି ଷ୍ଟ୍ରାଟେଜି ଆପଣେଇ ବାଜି ମାରୁଛନ୍ତି ?

Comments are closed, but trackbacks and pingbacks are open.