୨ ଟନ୍ ରୁପା ରେ ନିର୍ମିତ ହେବ ଶ୍ରୀମନ୍ଦିର ର ୭ ଟି ଦ୍ୱାର

29

ରୁପାରେ ଝଟକିବ ଶ୍ରୀମନ୍ଦିର ୮ ଦ୍ୱାର। କେବଳ କଲାହାଟ ଦ୍ଵାରକୁ ଛାଡି ଶ୍ରୀମନ୍ଦିର ସାତ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଶେଷ ହୋଇଛି। ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଗଲେ ଯାଇ କଲାହାଟ୍‌ ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ହେବ। ରଥଯାତ୍ରା ପୂର୍ବରୁ ଜୟ-ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ୱରେ ବର୍ମାଟିକ କାଠ ଦ୍ୱାର ଲାଗିଥିଲା। ପରେ ରୁପା ଛାଉଣୀ କରାଯାଇଥିଲା। ସର୍ବସାଧାରଣ ଦର୍ଶନ ଆରମ୍ଭ ପୂର୍ବରୁ ନବନିର୍ମିତ ସାତପାହାଚ ଦ୍ୱାର ଓ ବେହେରଣ ଦ୍ୱାର ଲାଗିଥିଲା। ତା’ପରେ ରୁପାରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଚାଦର ପ୍ଲେଟ୍‌ ଲାଗିଥିଲା।

ଶ୍ରୀ ମନ୍ଦିର ବେହରଣ, ଜୟ ବିଜୟ ଓ ଭୋଗ ମଣ୍ଡପ ପଶ୍ଚିମ ପାର୍ଶ୍ୱ, ସାତପାହାଚ, ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିରରେ ବର୍ମାଟିକ୍‌ କାଠ ଦ୍ୱାର ଲାଗିଛି। ଏହି ସବୁ ଦ୍ୱାରରେ ପର୍ଯ୍ୟାୟ କ୍ରମେ ରୁପା ଚାଦର ଆଚ୍ଛାଦିତ କରାଯାଇଛି। ଏହାରି ଭିତରେ ଆଦିନୃସିଂହ, ମା’ ବିମଳାଙ୍କ ମନ୍ଦିର ଓ ମହଲକ୍ଷ୍ମୀଙ୍କ ଦ୍ୱାରର ରୁପ ଛାଉଣୀ କାମ ପ୍ରାୟତଃ ଶେଷ ହୋଇଛି। କେବଳ କଳାହାଟ ଦ୍ୱାରର ପଲିସ୍‌ କାମ ସାରିଛି। ଏଥିପାଇଁ ଆବଶ୍ୟକ ରୁପା ଚାଦର ମଧ୍ୟ ପହଞ୍ଚି ସାରିଛି। ଆଗାମୀ ରଥଯାତ୍ରାରେ ରୁପା ଛାଉଣୀ କାର୍ଯ୍ୟ କରାଯିବ। ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ରୁପା ଛାଉଣୀ କାମ ପାଇଁ ଗଠିତ ହୋଇଛି ଦୁଇଟି କମିଟି। ଗୋଟିଏ କମିଟି ଦ୍ୱାର ବସାଇବା ଓ ରୁପାଛାଉଣି କାମର ତଦାରଖ କରୁଛି। ଅନ୍ୟ କମିଟିଟି ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହୋଇଛି। ଏଥିରେ ବୈଷୟିକ କମିଟିରେ ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଦ୍ୱାର ବସାଇବା ସମୟରେ ଯେଭଳି ଐତିହ୍ୟ ସୁରକ୍ଷା ପ୍ରତି ଆଞ୍ଚ ନଆସେ, ସେଥିଲାଗି ବୈଷୟିକ କମିଟି ଏଥିପ୍ରତି ଦୃଷ୍ଟି ଦେଇଛନ୍ତି। ମୁମ୍ବାଇର ଜନୈକ ଦାତା ଏ ସମସ୍ତ ରୁପା ଦାନସୂତ୍ରରେ ଯୋଗାଇଛନ୍ତି। ରୁପାଦ୍ୱାର ଛାଉଣୀ ପାଇଁ ୧୩୪୫ କେଜି ରୁପା ଦାନସୂତ୍ରରେ ମିଳିଛି।
ତେବେ ପ୍ରାୟ ୨ ଟନ୍ ରୁପା ଏହି କାର୍ଯ୍ୟରେ ବ୍ୟବହୃତ ହୋଇଛି। ଶ୍ରୀମନ୍ଦିର ଚାରିଦ୍ୱାର ସହ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ଦ୍ଵାରକୁ ରୁପା ଛାଉଣୀ କରିବା ପାଇଁ ଯୋଜନା ରହିଛି ବୋଲି ସେବାୟତ ମତବ୍ୟକ୍ତ କରିଛନ୍ତି। ଭକ୍ତମାନେ ରୁପା ଦ୍ୱାରକୁ ଦେଖି ବେଶ ଖୁସି ଅନୁଭବ କରିବା ସହ ଆଗାମୀ ଦିନରେ ଏହି କବାଟ ଗୁଡ଼ିକ ଉପରେ ସୁନା ଛାଉଣୀ କରିବା ପାଇଁ ଦାତାମାନେ ଆଗେଇ ଆସିବା ଦରକାର ବୋଲି କହିଛନ୍ତି ଭକ୍ତ।

Leave A Reply

Your email address will not be published.