ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଆହତ

170

ଭୁବନେଶ୍ୱର: ଗୁରୁବାର ସକାଳେ ମଞ୍ଚେଶ୍ୱର ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ଟିମର ମିଳିତ ଉଦ୍ୟମରେ ଏନକାଉଣ୍ଟର ପରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଗିରଫ କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା।

ହିଂସାତ୍ମକ ଓ ବେପରୁଆ ଆଚରଣ ପାଇଁ ଜଣାଶୁଣା ରଘୁ ନାଁରେ ବିଭିନ୍ନ ଥାନାରେ ୧୫ଟି ମାମଲା ରୁଜୁ ରହିଛି। ବନ୍ଧୁକ ଦେଖାଇ ଆତଙ୍କ ଖେଳାଇବାର ଅପରାଧିକ ରେକର୍ଡ ରଘୁ ନାଁରେ ଅଧିକ ରହିଛି। ଆଠଟି ମାମଲାରେ ସିଧାସଳଖ ବନ୍ଧୁକ ଦେଖାଇ ଧମକାଇବା ଓ ଅପରାଧ କରିବା ଭଳି ମାମଲା ରହିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଅନ୍ୟତମ ଅପରାଧୀ ରବି ରାଓ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି।

ଗୁଇନ୍ଦା ସୂଚନା ଆଧାରରେ ମଞ୍ଚେଶ୍ୱର ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ରଘୁ ଓ ତାର ସହଯୋଗୀ ପୁନିଆ ନାୟକକୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ଭୋର ସମୟରେ ଉଭୟ ବୁଲୁଥିଲେ। ଏହାପରେ ପୋଲିସ ପିଛା କରିଥିଲା। ହେଲେ ଉଭୟ ଗିରଫଦାରୀରୁ ବର୍ତ୍ତିବା ପାଇଁ ପୁଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ରହିଛି। ଏହାପରେ ପୋଲିସ ଅଧିକାରୀମାନେ ଆତ୍ମରକ୍ଷା କରିବାକୁ ଯାଇ ପାଲଟା ଗୁଳି ଚଳାଇଥିଲେ।

ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଛି। ଘଟଣାସ୍ଥଳରୁ ୭.୫ ଏମଏମ ପିସ୍ତଲ ଓ ଏକ ମୋଟର ସାଇକେଲ ଜବତ ହୋଇଛି। ଯାହା ରଘୁର ଅପରାଧିକ କାର୍ଯ୍ୟକଳାପର ପ୍ରମାଣ ଭାବେ କାମ କରିବ।

ଗୁରୁତର ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହର ଉତ୍ସବ ମୁଖର ଥିବା ବେଳେ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛି। ସମ୍ଭାବ୍ୟ ବିଶୃଙ୍ଖଳା ସୃଷ୍ଟିକାରୀ ଏବଂ ଅସାମାଜିକ ତତ୍ତ୍ୱଙ୍କୁ ରୋକିବା ପାଇଁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏନକାଉଣ୍ଟର ସମ୍ପର୍କରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ସାହସିକତା ଓ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ବିଶେଷ କରି ପର୍ବପର୍ବାଣୀ ସମୟରେ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Comments are closed, but trackbacks and pingbacks are open.