ମହାରାଷ୍ଟ୍ର ରାଜନୀତି; ଶରଦଙ୍କୁ ସଫା କରିବେ ଅଜିତ

140

ଭୁବନେଶ୍ୱର: ପୁଣିଥରେ ତେଜିଛି ମହାରାଷ୍ଟ୍ର ରାଜନୀତି। ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ଶୁଣାଣି ଚାଲିଥିବା ବେଳେ ଏବେ ଏନସିପିର ବିଦ୍ରୋହ ପୁଣିଥରେ ପଦାକୁ ଆସିଛି। ଅଜିତ ପାୱାରଙ୍କ ନେତୃତ୍ୱରେ ସିନ୍ଦେ ବିଜେପି ସରକାରରେ ସାମିଲ ହୋଇଥିବା ଏନସିପି ଗୋଷ୍ଠୀ ଶରଦ ପାୱାର ଗୋଷ୍ଠୀର ୧୦ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ପାଇଁ ପିଟିସନ ଦାଖଲ କରିଛନ୍ତି। ମହାରଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକରଙ୍କ ନିକଟରେ ସେ ଏହି ପିଟିସନ ଦାଖଲ କରିଛନ୍ତି। ଅଜିତ ପାୱାର ଗୋଷ୍ଠୀ ନେତା ସୁନୀଲ ତଟକାରେ ଏହି ସୂଚନା ଦେଇଛନ୍ତି। ଭାରତୀୟ ନିର୍ବାଚନ କମିଶନ ଏନସିପିରେ ବିବାଦ ଥିବା କଥା ଗ୍ରହଣ କରିବା ସହ ଉଭୟ ଗୋଷ୍ଠୀଙ୍କୁ ଅକ୍ଟୋବର ୬ ରେ ଶୁଣାଣି ବେଳେ ହାଜର ହେବାକୁ କହିଛନ୍ତି।

ତେଣୁ ନିର୍ବାଚନ କମିଶନଙ୍କ ନିକଟରେ ହାଜର ହେବା ନିର୍ଦେଶ ଓ ଏବେ ଅଜିତ ଗୋଷ୍ଠୀଙ୍କର ପିଟିସନ ଏନସିପି ମଧ୍ୟରେ ଲଢ଼େଇକୁ ଆହୁରି ତୀଵ୍ର କରିଛି। ସେପଟେ ଶରଦ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ମଧ୍ୟ ପୂର୍ବରୁ ୪୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କିତ ପିଟିସନ ଦିଆଯାଇଛି। ନିର୍ବାଚନ କମିଶନଙ୍କ ନିକଟରେ ଦିଆଯାଇଥିବା ସତ୍ୟପାଠରୁ ଏକଥା ସ୍ପଷ୍ଟ ହୋଇଛି। ଜୁଲାଇ ଦୁଇ ତାରିଖରେ ଅଜିତ ପାୱାର ଶିବସେନା ବିଜେପି ସରକାରରେ ଯୋଗ ଦେବାକୁ କହିବା ସହ ନିଜେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏପରିକି ଦଳୀୟ ଚିହ୍ନ ଓ ନାଁ ତାଙ୍କୁ ମିଳିବା ପ୍ରସଙ୍ଗରେ ସେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟକୁ ଯିବେ ବୋଲି କହିଥିଲେ।

ପରେ ପରେ ଜୁନ ୩୦ ତାରିଖରେ ଅଜିତ ଗୋଷ୍ଠୀ ପକ୍ଷରୁ ଅଜିତ ପାୱାରଙ୍କୁ ଦଳର ଜାତୀୟ ସଭାପତି ଓ ପ୍ରଫୁଲ୍ଲ ପଟେଲଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଘୋଷଣା କରିଥିଲେ। ଯାହାକୁ ନେଇ ଏନସିପି ମଧ୍ୟରେ ଲଢେ଼ଇ ତୀଵ୍ର ହୋଇଥିଲା। କିନ୍ତୁ ତା ପରେ ଅଜିତ ଓ ଶରଦ ପାୱାରଙ୍କ ମଧ୍ୟରେ ବାରମ୍ବାର ବୈଠକ ଓ ରୁଦ୍ଧଦ୍ୱାର ବୈଠକକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ ମଧ୍ୟରେ ବୈଠକକୁ ନେଇ ବିରୋଧୀ ଇଣ୍ଡିଆ ଓ ସିନ୍ଦେ ବିଜେପି ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା। କିଛି ଦିନର ନୀରବତା ପରେ ଏବେ ପୁଣି ଏନସିପି ବିବାଦ ତୀଵ୍ର ହେଉଥିବାରୁ ମହାରାଷ୍ଟ୍ର ରାଜନୀତି ଚଳଚଂଚଳ ହୋଇଛି।

Comments are closed, but trackbacks and pingbacks are open.