ଟ୍ୱିଷ୍ଟ ଆଣିଲା CBI ରିପୋର୍ଟ: ବାହାନଗା ଦୁର୍ଘଟଣାରେ ଲୁଚିଛି ଅନେକ ରହସ୍ୟ

419

ବାଲେଶ୍ୱର: ଜୁନ୍ ୨ ତାରିଖ ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଏବେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ସ୍ୱତନ୍ତ୍ର ଅଦାଲତରେ ଦାଖଲ କରିଛି ପ୍ରାଥମିକ ରିପୋର୍ଟ । ଏହି ରିପୋର୍ଟରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଦେଇଛି ସିବିଆଇ । ତେବେ ଏଥିରେ ଉଲ୍ଲେଖ ଥିବା ଅନେକ ଘଟଣା ପୂର୍ବରୁ ସାମନାକୁ ଆସି ନଥିଲା । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ ସିଷ୍ଟମ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହା ପରିବର୍ତ୍ତନ ହୋଇପାରେ ।

ଏବେ ପର୍ଯ୍ୟନ୍ତ ବାହାନଗା ଦୁର୍ଘଟଣାର ପ୍ରମୁଖ କାରଣ ସିଗନାଲ ସିଷ୍ଟମ ବୋଲି କୁହାଯାଉଛି । ତେବେ ଏହା ପଛରେ ଆହୁରି ଅନେକ ରହସ୍ୟ ଲୁଚି ଯାଇଛି । ଯାହାକୁ ଖୋଜି ବାହାର କରିଛି ତଦନ୍ତକାରୀ ସିବିଆଇର ସ୍ୱତନ୍ତ୍ର ଟିମ୍ । ଦୁର୍ଘଟଣା ସମ୍ପର୍କରେ ଅନେକ ଗୁପ୍ତ କାହାଣୀ ଏବେ ସ୍ୱତନ୍ତ୍ର ଅଦାଲତରେ ଦାଖଲ କରିଛି ସିବିଆଇ ।

ଏଥିରେ ମୁଖ୍ୟ ଘଟଣା ହେଉଛି ଲେବୁଲ କ୍ରସିଂ ନିକଟରେ ଚାଲିଥିବା ମରାମତି କାମ । ସିବିଆଇର ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ଦୁର୍ଘଟଣା ପୂର୍ବରୁ ଗେଟ୍ ନିକଟରେ କିଛି ମରାମତି କାର୍ଯ୍ୟ ଚାଲିଥିଲା । ତେବେ ଏଥିପାଇଁ ବଡ଼ ବା ଉପରିସ୍ଥ ଅଧିକାରୀଙ୍କ ପାଖରୁ ବିଧିବଦ୍ଧ ଭାବରେ କୌଣସି ଅନୁମତି ମଧ୍ୟ ନିଆ ଯାଇ ନଥିଲା । ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । କୌଣସି ସିନିୟର ଡିଭିଜନାଲ ଆଣ୍ଡ ଟେଲିକ ଇଞ୍ଜିନିୟରଙ୍କ ବିନା ଅନୁମତିରେ ଲେଭଲ କ୍ରସିଂରେ ମରାମତି କରାଯାଉଥିଲା । ଏମିତିକି ଏହି ମରାମତିର କୌଣସି ସର୍କିଟ ଡାଇଗ୍ରାମ ମଧ୍ୟ ନଥିବା ସିବିଆଇ ରିପୋର୍ଟରେ ଉଲ୍ଲେଖ ରହିଛି । ୯୪ ନମ୍ବର ଗେଟ୍ ରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗେଟ୍ ନମ୍ବର ୭୦ର ସର୍କିଟ ଡାଇଗ୍ରାମ ବ୍ୟବହାର କରାଯାଉଥିବା ଏହି ରିପୋର୍ଟରୁ ଜାଣିବାକୁ ମିଳିଛି ।

ତେବେ ସିବିଆଇ ପ୍ରାଥମିକ ରିପୋର୍ଟ ଜରିଆରେ ଏହି ମାମଲାକୁ ନେଇ ଅଭିଯୋଗ ଆଣିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସିଗନାଲ ଇନଚାର୍ଜ ଇଞ୍ଜିିନିୟର ଅରୁଣ କୁମାର ମହାନ୍ତ । ତାଙ୍କ କହିବା ଅନୁସାରେ, ଗେଟ୍ ନମ୍ବର ୯୪ ସଠିକ ଭାବରେ କାମ ଦେଉ ନଥିଲା । ତେବେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନେବାରେ ବିଳମ୍ବ ହେଉଥିଲା । ଏହାବ୍ୟତୀତ ମରାମତି କାର୍ଯ୍ୟର ସୁପରିଭିଜନ ମଧ୍ୟ ଅନ୍ୟ ଜଣେ ଅଧିକାରୀ କରୁଥିବା ସେ ପ୍ରକାଶ କରିଛନ୍ତି । ଏ ସମସ୍ତ ଘଟଣା ସିବିଆଇ ନିଜ ପ୍ରାଥମିକ ରିପୋର୍ଟରେ ସ୍ଥାନ ଦେବା ସହ ଏହାକୁ ଆଜି ସ୍ୱତନ୍ତ୍ର ଅଦାଲତରେ ଦାଖଲ କରିଛି । ତେବେ ବର୍ତ୍ତମାନ ଏହି ଦୁର୍ଘଟଣା ମାମଲା ଆଉ ଏକ ନୂଆ ମୋଡ଼ ନେଇପାରେ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.