ଛତିଶଗଡ଼ ନିର୍ବାଚନ ଆଗରୁ ଜନତାଙ୍କୁ କେଜ୍ରିୱାଲଙ୍କ ଅଫର

198

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ନେଇ ଏବେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଦିଲ୍ଲୀ, ପଞ୍ଜାବ ପରେ ଏବେ ଛତିଶଗଡ଼ ଉପରେ ନଜର ରଖିଛି ଆମ ଆଦମୀ ପାର୍ଟି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ନିର୍ବାଚନ ଆଗରୁ ଜନତାଙ୍କୁ ବିଭିନ୍ନ ଅଫର ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶନିବାର ଛତିଶଗଡ଼ ଗସ୍ତରେ ଯାଇ ନିଜ ଦଳ ପକ୍ଷରୁ ଅନେକ ଅଫର ଘୋଷଣା କରିଛନ୍ତି । ତେବେ କେଜ୍ରିୱାଲଙ୍କ ଏହି ଅଫର ପ୍ରତି ଲୋକ ଆକୃଷ୍ଟ ହେବେ କି ନା ନାହିଁ ତାହା ତ ସମୟ କହିବ । କିନ୍ତୁ ଭୋଟରଙ୍କୁ ନିଜ ଦଳ ଆଡକୁ ଆକୃଷ୍ଟ କରିବା ପାଇଁ ଭରପୁର ଉଦ୍ୟମ କରୁଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ଓ ପଞ୍ଜାବରେ ଆପ ପକ୍ଷରୁ କଣ ସବୁ ସୁବିଧା ମିଳୁଛି ସେନେଇ ଆଲୋକପାତ କରିଛି ଦଳ ।

କେଜ୍ରିଓ୍ବାଲ କହିଛନ୍ତି ଯେ ଦିଲ୍ଲୀ ଓ ପଂଜାବ ପରି ଛତିଶଗଡ଼ରେ ବି ମାସକୁ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ । ଗ୍ରାମାଞ୍ଚଳରେ ୨୪ ଘଣ୍ଟା ବିଜୁଳି ରହିବ ଓ ପୁରୁଣା ବକେୟା ବିଲ୍ ଛାଡ଼ କରାଯିବ । ସେହିପରି ପ୍ରତ୍ୟେକ ବେରୋଜଗାରଙ୍କୁ ରୋଜଗାର ଯୋଗାଇ ଦିଆଯିବ । ପାଖାପାଖି ୧୦ ଲକ୍ଷ ବେକାରଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି ।

ଏହା ସହ ଚାକିରି ନମିଳିବା ପର୍ୟ୍ୟନ୍ତ ପ୍ରତ୍ୟେକ ବେକାରଙ୍କୁ ମାସିକ ୩୦୦୦ ଟଙ୍କା ବେକାରୀ ଭତ୍ତା ଦିଆଯିବ । ନିଯୁକ୍ତି ଓ ସ୍ୱଚ୍ଛତା କ୍ଷେତ୍ରରେ ସୁପାରିସ ଆଣି ଚାକିରିରେ ଦୁର୍ନୀତି ଦୂର କରାଯିବ, ସାଧାରଣ ଲୋକଙ୍କୁ ଚାକିରି ସୁଯୋଗ ଦିଆଯିବ। ଅନ୍ୟପକ୍ଷରେ ୧୮ ବର୍ଷରୁ ଅଧିକ ସବୁ ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଲେଖାଏଁ ସ୍ତ୍ରୀ ସମ୍ମାନ ରାଶି ଦିଆଯିବ । ଏହା ଛଡ଼ା ଦଳ ପକ୍ଷରୁ ଶିକ୍ଷା ଗ୍ୟାରେଣ୍ଟି, ସ୍ବାସ୍ଥ୍ୟ ଗ୍ୟାରେଣ୍ଟି ଓ ତୀର୍ଥଯାତ୍ରା ଗ୍ୟାରେଣ୍ଟି ସଂପର୍କରେ ଘୋଷଣା ମଧ୍ୟ କରାଯାଇଛି ।

Comments are closed, but trackbacks and pingbacks are open.