ଅପରାଜିତା-ଶ୍ରୀମୟୀଙ୍କ ଛକ୍କା ପାଞ୍ଝ : ଭୁବନେଶ୍ୱର ଲୋକସଭା ଆସନକୁ ନେଇ ବଢ଼ୁଛି ଉତ୍କଣ୍ଠା

128

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ବହୁମତ ହାସଲ କରି ସରକାର ଗଠନ ଗଠନ କରବା ସହିତ ଅଧିକ ସଂଖ୍ୟକ ଲୋକସଭା ଆସେନ ହାତେଇଥିଲା । ତେବେ ସବୁଠାରୁ ବଡ଼ ଓଲଟ ପାଲଟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ । ଏହି କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ମଧ୍ୟରେ ହେଭି ଟକ୍କର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ଉତ୍ତର, ମଧ୍ୟ ଓ ଏକାମ୍ର ବିଧାନସଭା ଆସନରେ ବଜେଡି ବାଜିମାତ୍ କରିଥିଲା । ମାତ୍ର ରାଜ୍ୟର ମେରୁଦଣ୍ଡ ଅର୍ଥାତ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ବିଜେଡିର ସବୁ ଗୋଟି ଚାଳନାକୁ ଫେଲ୍ କରିବାରେ ସଫଳ ହୋଇଥିଲେ ।

ଅନେକ ସମୟରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅଡ଼ୁଆରେ ପକାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି ଅପରାଜିତା । ତେଣୁ ଅପରାଜିତାଙ୍କ ପ୍ରଭାବକୁ ରୋକିବାକୁ ବିଜେଡି ନୂଆ ଯୋଜନା କରୁଥିବା କୁହାଯାଉଛି । ଗତ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଆସନ ହରାଇବା ବିଜେଡିକୁ ଲାଗିଥିଲା ଶକ୍ତି ଝଟକା । ଗତ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ନିର୍ବାଚନରେ ଅପରାଜିତାଙ୍କ ସମର୍ଥିତ ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଟକ୍କର ଦେବାକୁ ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଥିଲା ଓ ସଫଳ ମଧ୍ୟ ହୋଇଥିଲା । ତେଣୁ ଅନୁରୂପ ଭାବେ ଆସନ୍ତା ଲୋକସଭା ନିର୍ବାଚନରେ ଅପରାଜିତାଙ୍କୁ ଟକ୍କର ଦେବାକୁ ବିଜେଡି ଜଣେ ଫାୟାରବ୍ରାଣ୍ଡ ଲେଡିଙ୍କ ସନ୍ଧାନରେ ରହିଥିଲା ।

ଆସନ୍ତା ନିର୍ବାଚନରେ ଅପରାଜିତା ପୁଣି ଥରେ ଭୁବନେଶ୍ୱରରୁ ସାଂସଦ ଭାବେ ଲଢ଼ିବାର ସମ୍ଭାବନା ରହିଛି । ତେଣୁ ଯଦି ସବୁକିଛି ଠିକଠାକ ହୁଏ, ତେବେ ଏଥର ଭୁବନେଶ୍ୱର ଆସନରେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । ନିକଟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅପରାଜିତା-ଶ୍ରୀମୟୀ ଗଣମାଧ୍ୟମରେ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି । ଶ୍ରୀମୟୀ ଏବେ ଦଳର ସାଧାରଣ ସମ୍ପାଦକ ଓ ମୁଖପାତ୍ର ରହିଥିବା ବେଳେ ଗତ ମାସରେ ଦଳ ତାଙ୍କୁ ଖୋର୍ଦ୍ଧା ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଥିଲା ।

ଉଭୟେ ଅପରାଜିତା ଓ ଶ୍ରୀମୟୀ ଭୁବନେଶ୍ୱରର ବୋହୂ ହୋଇଥିବା ବେଳେ ଦୁହେଁ ଉଚ୍ଚଶିକ୍ଷିତ । ତେବେ ୨୦୨୪ରେ ସେ ନୁହନ୍ତି ଭୁବନେଶ୍ୱର ଲୋକ ତାଙ୍କ ପାଇଁ ନିର୍ବାଚନ ଲଢ଼ିବେ ବୋଲି ନିକଟରେ ଅପରାଜିତା କହି ଏହି ଲଢ଼େଇକୁ ଆହୁରି ସରଗରମ୍ କରିଦେଇଛନ୍ତି । ୨୦୧୯ ନିର୍ବାଚନରେ ଅପରାଜିତା ୨୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ତେଣୁ ଏହି ସିଟରେ ଆଗାମୀ ନିର୍ବାଚନରେ ନିଶ୍ଚିତ ଭାବେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଅପରାଜିତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ୱାର୍ଡ ସ୍ତରରେ ନିଜର ସଂଗଠନକୁ ମଜବୁତ କରୁଥିବା କୁହାଯାଉଛି ।

ତେବେ ଭୁବନେଶ୍ୱର ଆସନ ପାଇଁ ଶ୍ରୀମୟୀଙ୍କ ନାମ ସର୍ବାଗ୍ରେ ରହିଥିବା ବେଳେ ବିଜେଡିରେ ଆଶାୟୀଙ୍କ ଧାଡ଼ି ଲମ୍ବିବାରେ ଲାଗିଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପରି ଏକାଧିକ ପ୍ରାର୍ଥୀଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଠିକଣା ସମୟରେ ଉଭୟ ବିଜେଡି ଓ ବିଜେପି ନିଜ ନିଜର ନିଷ୍ପତ୍ତି ନେବେ ।

Comments are closed, but trackbacks and pingbacks are open.