ରାଷ୍ଟ୍ରପତିଙ୍କ କଟକ ଗସ୍ତ: ସଡ଼କ ପଥରେ ଯାତ୍ରା ପାଇଁ କଡ଼ା ସୁରକ୍ଷା

176

କଟକ: କଟକ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜଭବନରୁ ବାହାରିଲା ରାଷ୍ଟ୍ରପତିଙ୍କ କାରକେଡ୍‌। ସଡ଼କ ପଥରେ ଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ହେଲିକପ୍ଟରରେ କଟକ ଗସ୍ତ ଧାର୍ଯ୍ୟ ହୋଇଥିଲା। ତିନି ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।

ସକାଳେ ରାଜଭବନରୁ ସଡ଼କ ପଥରେ ବାହାରି ସିଧା ପହଞ୍ଚିବେ କଟକ ଚଣ୍ଡୀ ମନ୍ଦିର। ସେଠାରେ ପ୍ରାୟ ୧୫ ମିନିଟ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାଷ୍ଟ୍ରପତି ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବେ। ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି। ୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି।

ସେହପରି ୨ଟା ୫୦ରେ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଅପରାହ୍ନ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ପୁଣି ରାଜଭବନକୁ ଫେରି ରାତ୍ରୀଯାପନ କରିବେ। ଆସନ୍ତାକାଲି ସକାଳରେ ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ସେହିପରି ସେହିଦିନ ତମାଣ୍ଡୋ ଦଶବାଟିଆରେ ବ୍ରହ୍ମକୁମାରୀ ସେଂଟରରେ ପହଂଚିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।

Comments are closed, but trackbacks and pingbacks are open.