ସ୍ମାର୍ଟସିଟି ରାଙ୍କିଙ୍ଗ୍‌ରେ ୨୪ ନଂ.କୁ ଖସିଲା ଭୁବନେଶ୍ୱର

28

ସ୍ମାର୍ଟସିଟି ରାଙ୍କିଙ୍ଗ୍‌ରେ ୨୪ ନମ୍ବର ସ୍ଥାନକୁ ଖସି ଆସିଛି ଭୁବନେଶ୍ବର। ସେହିଭଳି ରାଉରକେଲା ୪୭ ନମ୍ବର ସ୍ଥାନରେ ରହିଛି। ରାଙ୍କିଙ୍ଗ୍‌ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନୁମୋଦିତ ଜିଏମ୍‌ଆଇଏସ୍‌ (ଜିଓସ୍ପାଟିଆଲ୍‌ ମ୍ୟାନେଜ୍‌ମେଣ୍ଟ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌) ରିପୋର୍ଟରୁ ତଥ୍ୟ ମିଳିଛି। ଦେଶରେ ୨୦୧୫ରେ ଆରମ୍ଭ ହୋଇଥିବା ସ୍ମାର୍ଟସିଟି ମିଶନରେ ୪ଟି ପର୍ଯ୍ୟାୟରେ ମୋଟ୍‌ ୧୦୦ଟି ସହର ସ୍ଥାନିତ ହୋଇଥିଲା। ୨୦୧୬ରେ ଏହି ତାଲିକାରେ ଭୁବନେଶ୍ୱରେ ୧ନମ୍ବର ସ୍ଥାନରେ ରହିଥିଲା। ସହରରେ ମୋ ବସ, ମୋ ସାଇକେଲ, ସବୁ ସ୍ଥାନରେ ୱାଇଫାଇ ସୁବିଧା, ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା, ମଲ୍ଟି କାର ପାର୍କିଂ ସିଷ୍ଟମ, ସ୍ମାର୍ଟ ଜନପଥ ଭଳି ମୋଟ୍‌ ୩୫ଟି ପ୍ରକଳ୍ପ କରିବାକୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଦାୟିତ୍ୱ ନେଇଥିଲା। ପରେ ସ୍ମାର୍ଟସିଟି ତାଲିକାରେ ଓଡ଼ିଶାରୁ ଦ୍ୱିତୀୟ ସହର ଭାବେ ରାଉରକେଲା ସ୍ଥାନିତ ହୋଇଥିଲା। ଏହି ଦୁଇ ସହରର ୯୯ଟି ପ୍ରକଳ୍ପ ପାଇଁ ୩୬୭୨.୬୩ କୋଟି ଖର୍ଚ୍ଚ କରାଯାଉଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧା ଅଧା ଅର୍ଥରେ ତିଆରି ହୋଉଥିବା ପ୍ରକଳ୍ପ ଭିତରେ ଭୁବନେଶ୍ବରରେ ୩୫ଟି ଓ ରାଉରକେଲାରେ ୬୪ଟି ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୨୪ରେ ସ୍ମାର୍ଟସିଟି ପ୍ରକଳ୍ପ ଅବଧି ସରିବାକୁ ଥିବାବେଳେ ୮ବର୍ଷ ମଧ୍ୟରେ ନିର୍ଦ୍ଧାରିତ ପ୍ରକଳ୍ପ ମଧ୍ୟରୁ ମାତ୍ର ୨୮ଟି ପ୍ରକଳ୍ପ କାର୍ଯ୍ୟ କରିଛି ବିଏସ୍‌ସିଏଲ୍‌। ପୁଣି ମଧ୍ୟରୁ କିଛି ପୂର୍ଣ୍ଣାଙ୍ଗ ଥିବାବେଳେ ଆଉକିଛି ଅଧାରେ ରହିଛି। ଏଭଳି ଅନେକ କାରଣରୁ ଭୁବନେଶ୍ୱର ସ୍ମାର୍ଟସିଟି ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସି ଚାଲିଥିବା କୁହାଯାଉଛି।

Comments are closed, but trackbacks and pingbacks are open.