ବାହାନଗା ହାଇସ୍କୁଲର ନବୀକରଣ କରାଯିବ- ମୁଖ୍ୟମନ୍ତ୍ରୀ

25

ଭୁବନେଶ୍ୱର : ବାହାନଗା ସ୍କୁଲର ହେବ ପୁନଃନିର୍ମାଣ I 5T ଉପକ୍ରମରେ ଏକ ମଡେଲ ସ୍କୁଲ ନିର୍ମାଣ କରାଯିବ । ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ Elementary ସ୍କୁଲ ଗୃହ 5-T ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ସ୍କୁଲ ପରିସରର ପୁନଃନିର୍ମାଣ କରି ଏହାକୁ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଘଠିତ ଭୟାବହ ରେଳ ଦୂର୍ଘଟଣା ପରବର୍ତ୍ତି ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ଶିକ୍ଷକ ଶିକ୍ଷୟତ୍ରୀ ଉଦ୍ଧାର ଓ ସେବା କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏହି ଭଳି ମହତ କାର୍ଯ୍ୟରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ସେ ଅଞ୍ଚଳର ଏହି ପ୍ରମୁଖ ଶିକ୍ଷା ଅନୁଷ୍ଠାନକୁ 5-T କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମରଶରୀରକୁ ସାମୟିକ ଭାବେ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଶବ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ତେବେ ସ୍କୁଲକୁ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି। ତେଣୁ ସ୍କୁଲ ଘର ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ 5-T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍‌ଫେଲନ୍ସ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ଏ ସଂକ୍ରାନ୍ତରେ ୧୫ ଦିନ ମଧ୍ୟରେ ବିସ୍ତୃତ ଯୋଜନା ପ୍ରସ୍ତୃତି କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed, but trackbacks and pingbacks are open.