ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଜବାଜ ହେଉଛି ବିଜେପି

23

 ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମାମଲା ବଢୁଥିବା ଦେଖି ବିଜେପି ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛନ୍ତି | ସୂଚନାନୁସାରେ, କୁସ୍ତି ଯୋଦ୍ଧାମାନଙ୍କ ପ୍ରସଙ୍ଗରେ ଅନାବଶ୍ୟକ ବୟାନ ନ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ବ୍ରିଜ ଭୂଷଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ନିର୍ଦ୍ଦେଶ ପରେ ବ୍ରିଜ ଭୂଷଣ ଆସନ୍ତା ଜୁନ୍ ୫ରେ ହେବାକୁ ଥିବା ଏକ ବିଶାଳ ରାଲିକୁ ବାତିଲ କରିଛନ୍ତି। ବାସ୍ତବରେ ବ୍ରିଜ ଭୂଷଣ ଶରଣ ସିଂ ଆସନ୍ତା ଜୁନ୍ ୫ରେ ଅଯୋଧ୍ୟାରେ ଜନସଚେତନତା ରାଲି କରିବାକୁ ଆହ୍ୱାନ ଦେଇଥିଲେ | ପୂର୍ବରୁ ବିଜେପି ସାଂସଦ କହିଥିଲେ ଯେ ଏହି ରାଲିରେ ପ୍ରାୟ ୧୧ ଲକ୍ଷ ଲୋକ ଯୋଗ ଦେବେ | କିନ୍ତୁ ଆଜି ଏକ ଫେସବୁକ ପୋଷ୍ଟ ଜରିଆରେ ସେ ରାଲି ରଦ୍ଦ କରିବାକୁ ଘୋଷଣା କରିଛନ୍ତି । ବ୍ରିଜ ଭୂଷଣ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ଆପଣଙ୍କ ସହଯୋଗରେ ମୁଁ ଗତ ୨୮ ବର୍ଷ ଧରି ଲୋକସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଛି।

ମୁଁ ସମସ୍ତ ଜାତି, ସମ୍ପ୍ରଦାୟ ଏବଂ ଧର୍ମର ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିଛି। ଏହି କାରଣରୁ ମୋର ରାଜନୈତିକ ବିରୋଧୀ ଏବଂ ସେମାନଙ୍କ ଦଳ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କେତେକ ରାଜନୈତିକ ଦଳ ବିଭିନ୍ନ ସ୍ଥାନରେ ରାଲି କରି ଜାତିଗତ ବିବାଦକୁ ପ୍ରୋତ୍ସାହିତ କରି ସାମାଜିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ଆଉ ଏଥିପାଇଁ ଆସନ୍ତା ଜୁନ ୫ରେ ଅଯୋଧ୍ୟାରେ ଏକ ସନ୍ଥ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ବର୍ତ୍ତମାନ ପୁଲିସ ଏହି ଅଭିଯୋଗର ଅନୁସନ୍ଧାନ କରୁଥିବାରୁ ଏହି ରାଲିକୁ ସ୍ଥଗିତ ରଖାଯାଇଛି।

ଉଲ୍ଲେଖ ଥାଉ କି ଆନ୍ଦୋଳନକାରୀମାନେ ଗତ ଏପ୍ରିଲ୍‌ ୨୩ ତାରିଖରେ ଯନ୍ତର ମନ୍ତରରେ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚଲାଇଥିଲେ। କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗତ, ବଜରଙ୍ଗ ପୁନିଆ ଓ ସଙ୍ଗୀତା ଫୋଗତଙ୍କ ଭଳି ଅନେକ ଅଲିମ୍ପିକ୍‌ ଓ ବିଶ୍ବ ଚାମ୍ପିଅନ୍‌ସିପ୍‌ ପଦକ ବିଜେତା ଡବ୍ଲୁଏଫ୍‌ଆଇ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ଗିରଫ ଦାବି ନେଇ ଦିଲ୍ଲୀରେ ଧାରଣା ଦେଇଥିଲେ। ସେମାନେ ବ୍ରିଜ ଭୂଷଣଙ୍କ ନାମରେ ମହିଳା ଓ ‌ନାବାଳିକାଙ୍କ ପ୍ରତି ଯୌନ ‌ଶୋଷଣ ଅଭିଯୋଗ ଆଣି ଏହି ଆନ୍ଦୋଳନ ଆରମ୍ଭ କରିଥିଲେ।

Comments are closed, but trackbacks and pingbacks are open.