ଆମେ ଆମ ଶତ୍ରୁଙ୍କର ଭଲମନ୍ଦ ବି ବୁଝୁ: ୩ ରାଷ୍ଟ୍ର ଗସ୍ତ ଶେଷରେ ଦିଲ୍ଲୀରେ ପହଞ୍ଚି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

20
ଭାରତ ତା’ର ଶତ୍ରୁମାନଙ୍କର ଭଲମନ୍ଦ ମଧ୍ୟ ବୁଝେ ବୋଲି ୩ ରାଷ୍ଟ୍ର ଗସ୍ତ ଶେଷରେ ଆଜି ପ୍ରତ୍ୟୁଷରେ ଦିଲ୍ଲୀସ୍ଥିତ ପାଲାମ ବିମାନ ବନ୍ଦରରେ ଅବତରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି।

ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ବିମାନ ବନ୍ଦରରେ ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ସାଂସଦ ରମେଶ ବିଧୁରି, ହଂସରାଜ ହଂସ, ଦିଲ୍ଲୀ ବିଧାନସଭା ବିରୋଧୀ ଦଳର ନେତା ରାମବୀର ସିଂହ ବିଧୁରି ଏବଂ ଦଳର ବହୁସଂଖ୍ୟକ ସଦସ୍ୟ ଫୁଲମାଳ ପିନ୍ଧାଇ ପାଛୋଟି ଆଣିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ, ବିଶ୍ବବାସୀଙ୍କ ଆଖିରେ ଆଖି ମିଶାଇ ମୁଁ ମୋ ଦେଶର ସଂସ୍କୃତି କଥା କହେ। ଏଭଳି ଆତ୍ମବିଶ୍ବାସ ଆସିବାର କାରଣ ହେଉଛି, ଦେଶରେ ଆପଣମାନେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ସରକାର ଗଠନ କରିଛନ୍ତି। ଏଠାକୁ ଆସିଥିବା ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୁହେଁ, ଭାରତକୁ ସୁଖ ପାଉଥିବା ଜନତା।

ଭାରତର ଟିକା କୂଟନୀତିକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହି‌ଲେ, ବିଶ୍ବବାସୀଙ୍କୁ କାହିଁକି ଟିକା ଯୋଗାଇଲି ବୋଲି ଏଠାରେ ଲୋକେ ମତେ ପଚାରୁଛନ୍ତି। ମୁଁ କହିଦେବାକୁ ଚାହେଁ ଯେ, ଭାରତ ହେଉଛି ବୁଦ୍ଧ ଓ ଗାନ୍ଧୀଙ୍କ ଦେଶ। ଆମେ ଶତ୍ରୁମାନଙ୍କର ଭଲମନ୍ଦ ବି ବୁଝୁ…। ଭାରତ କ’ଣ ଚିନ୍ତା କରୁଛି, ଆଜି ବିଶ୍ବ ତାହା ଜାଣିବାକୁ ଆଗ୍ରହୀ।

Comments are closed, but trackbacks and pingbacks are open.