ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା: ୩୨୩ ଟି ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

20

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି ।

ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ୯୨ଟି ନୂଆ ଜରୁରୀକାଳୀନ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ ଯୋଗାଇଦେବାପାଇଁ ବ୍ୟବସ୍ଥା ହୋଇଥିବାବେଳେ ସେଥିମଧ୍ୟରୁ ୨୪ଟି ନୂଆ ଆମ୍ବୁଲାନ୍ସ କିଣାଯାଇ ସାରିଛି । ଏଥି ପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଛଡା ୨୯୯ଟି ମୌଳିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସକୁ ରୂପାନ୍ତରିତ କରାଯାଇ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ରେ ପରିଣତ କରାଯାଇ ଆଜିଠାରୁ କାର୍ଯ୍ୟକାରୀ କରାଗଲା । ଏହି ଉନ୍ନତିକରଣ ପରେ ରାଜ୍ୟରେ ମୋଟ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୪୧୧ ରେ ପହଞ୍ଚିଲା। ଏହି ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ମୋଟ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଦ୍ୱାରା ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ଗୋଟିଏ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇପାରିବ ।

Comments are closed, but trackbacks and pingbacks are open.