କର୍ଣ୍ଣାଟକରେ କାମ ଦେବ କି ମୋଦୀ ଲହର?

42

ପୁଣି ସରକାର ଗଢିବାକୁ ଦଳର ସାହାରା ହେବେ ମୋଦି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଜୋରଦାର ହୋଇଛି ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପି ଏବଂ କଂଗ୍ରେସର ପ୍ରମୁଖ ଓ ବରିଷ୍ଠ ନେତା । କର୍ଣ୍ଣାଟକରେ ଏବେ ବିଜେପି ସରକାର ରହିଥିବା ବେଳେ ସରକାର ବିରୋଧୀ ହାୱା ରହିଛି । ଏହାକୁ ପ୍ରତିହତ କରିବା ପାଇଁ ମୋଦୀ ଲହର କାମ ଦେବ ବୋଲି କୁହାଯାଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ପ୍ରଚାରର ନେତୃତ୍ୱ ନେଇଛନ୍ତି । ସେ ଦୃଷ୍ଟିରୁ ଦକ୍ଷିଣ ଭାରତର ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ବିଜେପି ହାଇ ଭୋଲଟେଜ ପ୍ରଚାର କରିବ ।

ମୋଦୀ କର୍ଣ୍ଣାଟକରେ ୧୫-୨୦ଟି ରୢାଲିରେ ଉଦ୍‌ବୋଧନ ଦେବେ ବୋଲି ସୂଚନା ମିଳିଛି । ମୋଟ ଉପରେ ଚଳିତ ନିର୍ବାଚନରେ ବିଜେପି ମୋଦୀଙ୍କ ଲୋକପ୍ରିୟତା ଉପରେ ଅଧିକ ନିର୍ଭରଶୀଳ ହୋଇଛି । ତେଣୁ ମୋଦୀ ହିଁ କର୍ଣ୍ଣାଟକ ବିଜେପି ପାଇଁ ଭରସା ପାଲଟିଛନ୍ତି । ଚଳିତ ସପ୍ତାହରେ ମୋଦୀ କର୍ଣ୍ଣାଟକ ଗସ୍ତ କରିବେ ବୋଲି ଚର୍ଚ୍ଚା ଚାଲିଛି । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ କର୍ଣ୍ଣାଟକ ଗସ୍ତ ହେବ । କିନ୍ତୁ ଚଳିତ ବର୍ଷ ଏହା ମୋଦୀଙ୍କର ଅଷ୍ଟମ କର୍ଣ୍ଣାଟକ ଗସ୍ତ ହେବାକୁ ଯାଉଛି । ପୂର୍ବରୁ ସେ ୭ ଥର କର୍ଣ୍ଣାଟକ ଯାଇ ରାଲି କରିଛନ୍ତି ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକରେ ନିର୍ବାଚନ ପ୍ରଭାରୀ କରିଛି ଭାରତୀୟ ଜନତା ପାର୍ଟି ।

ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ ରାଜ୍ୟରେ ସହ ପ୍ରଭାରୀ ଭାବେ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଦଳର ନିର୍ବାଚନ କମିଟି ମୁଖ୍ୟ ଅଛନ୍ତି । ଏଥର ପୁଣି ଥରେ ଦଳ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି । ତେବେ ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମେ ୧୩ରେ ଫଳାଫଳ ଆସିବ ।

Comments are closed, but trackbacks and pingbacks are open.