କର୍ଣ୍ଣାଟକ ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ !

22

ସରଗରମ ହେଉଛି କର୍ଣ୍ଣାଟକ ରାଜନୀତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ । ଆଜି ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିସନ । ତେବେ ତାରିଖ ଘୋଷଣା କରିବା ପରେ ଆଜିଠୁ କର୍ଣ୍ଣାଟକରେ ନିର୍ବାଚନ ଆଚରଣବିଧି ଲାଗୁ ହେବ । କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଆସନ୍ତା ମେ ୨୪ ତାରିଖରେ କ୍ଷମତାରେ ଥିବା ବାସବରାଜ ବୋମାଇ ସରକାରଙ୍କ କାର୍ଯ୍ୟକାଳ ସରୁଛି । ଏହାପୂର୍ବରୁ ରାଜ୍ୟରେ ନିର୍ବାଚନ ହେବା ଜରୁରୀ, ତେଣୁ ୨୨୪ ଆସନରେ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ । କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି ।

କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୨୪ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ପୂର୍ବରୁ କର୍ଣ୍ଣାଟକ ମେଣ୍ଟ ସରକାରର ଉତଥାନ ପତନ ଦେଖିସାରିଥିବାରୁ ଏଥର ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ୨୦୧୮ ମସିହା ବିଧାନସଭା ନିର୍ବାଚନରେ କୌଣସି ଦଳ ବହୁମତ ହାସଲ କରିପାରିନଥିଲେ । ବିଜେପି ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବେ ବିଏସ ୟେଦିୟୁରପ୍ପା ଶପଥ ନେଇଥିଲେ । ହେଲେ ଦୁଇ ଦିନ ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିନପାରି ସେ ନାଟକୀୟ ଢଙ୍ଗରେ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସ ଓ ଜେଡିଏସର ମେଣ୍ଟ ସରକାର ଗଠନ ହୋଇଥିଲା । ଆଉ ମୁଖ୍ୟମନ୍ତ୍ରୀ ହୋଇ କୁମାରସ୍ୱାମୀ ୧୪ ମାସ ସରକାର ଚଲାଇଥିଲେ ।

ଏହାପରେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ନେଇ ପୁଣି ଥରେ ସରକାର ଗଠନ କରିଥିଲେ ବିଏସ ୟେଦିୟୁରପ୍ପା । ହେଲେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ବଦଳାଇବାରୁ ଏବେ ବାସବରାଜ ବୋମାଇ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏବେ କ୍ଷମତାରେ ଥିବା ବିଜେପି ସରକାରଙ୍କ କାର୍ଯ୍ୟକାଳ ମେ ୨୪ ତାରିଖରେ ଶେଷ ହେବ । ତେଣୁ ତା ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ ଆଜି ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିସନ ।

Comments are closed, but trackbacks and pingbacks are open.