ନିର୍ବାଚନ ଆୟୋଗ ପକ୍ଷରୁ ହେବ ତାରିଖ ଘୋଷଣା !

16

୩ ରାଜ୍ୟରେ ନିର୍ବାଚନ ପାଇଁ ବାଜିବ ବିଗୁଲ ! ନିର୍ବାଚନ ଆୟୋଗ ପକ୍ଷରୁ ହେବ ତାରିଖ ଘୋଷଣା ! ଦଳ ମାନଙ୍କ ଭିତରେ ଆରମ୍ଭ ହୋଇଛ ପ୍ରସ୍ତୁତି ! ସରଗରମ ହେଉଛି ନିର୍ବାଚନ ମାହଲ । ଦିନକୁ ଦିନ ବଦଳୁଛି ରାଜନୈତିକ ତାତି । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇଛି ମଇଦାନ । ଆଜି ଦେଶର ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଅପରାହ୍ନ ୨ଟା ୩୦ ନିର୍ବାଚନ କମିଶନଙ୍କ ପକ୍ଷରୁ ଡକାଯାଇଥିବ ସାମ୍ବାଦିକ ସମ୍ମିଳନୀରେ ତିନିଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି ।

ଆସନ୍ତା ଫେବ୍ରୁଆରୀ ମାସରେ ଏହି ତିନୋଟି ରାଜ୍ୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି । ନିକଟରେ ନିର୍ବାଚନ ଆୟୋଗର ଏକ ଟିମ୍ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ନିର୍ବାଚନ ଆୟୋଗ ମଧ୍ୟ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ଯୋଗାଯୋଗ କରିଥିବା କୁହାଯାଉଛି । ଏହି ତିନୋଟି ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି କ୍ଷମତାରେ ଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ବିଜେପି ମେଣ୍ଟ ସରକାରରେ ରହିଛି ।

ନାଗାଲାଣ୍ଡ ଓ ମେଘାଳୟର ୬୦ଟି ଲେଖାଏଁ ଆସନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା ହେବ । ନାଗାଲାଣ୍ଡ, ମେଘାଳୟ ଓ ତ୍ରୁପୁରା ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୨, ମାର୍ଚ୍ଚ ୨୨ ଓ ୧୫ ମାର୍ଚ୍ଚରେ ଶେଷ ହେବ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ତିନି ରାଜ୍ୟରେ ନିର୍ବାଚନ ଶେଷ ହେବ । ତେଣୁ ଆଞ୍ଚଳିକ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ପର୍ଯ୍ୟନ୍ତ ସମସ୍ତେ ଏହି ତିନି ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ଜୋରର୍ସୋରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

Comments are closed, but trackbacks and pingbacks are open.