ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହେଲେ ମୋଦୀ

26

ନୂଆଦିଲ୍ଲୀ: ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଟେଲିଫୋନ୍ ଯୋଗେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମିୀ ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରଥିବା ଜଣାପଡିଛି । ଏହି ଅବସରରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ପାଇଁ ଭାରତ ଯେଉଁ ଉଦ୍ୟମ ଚଳାଇଛି, ତାହାକୁ ଜେଲେନ୍‌ସ୍କି ଉଚ୍ଚ ପ୍ରଶଂସା କରିଛନ୍ତି । ଏପରିକି ଭାରତ-ରୁଷ୍ ମଧ୍ୟରେ ପୁରୁଣା ସମ୍ପର୍କ ରହିଥିବା ସତ୍ତ୍ୱେ ଭାରତ ବିବେକ ଅନୁଯାୟୀ ଜାତିସଂଘରେ ରୁଷ୍‌କୁ ସମର୍ଥନ କରୁନଥିବା ପ୍ରସଙ୍ଗକୁ ମଧ୍ୟ ଜେଲେନ୍‌ସ୍କି ପ୍ରଶଂସା କରିଥିବା ଜଣାପଡିଛି । ଏହାବ୍ୟତୀତ ୨୦୨୩ ପାଇଁ ଭାରତକୁ ଜି-୨୦ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବାରୁ ଜେଲେନ୍‌ସ୍କି ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତର ଅଧ୍ୟକ୍ଷତା କାଳରେ ଜି-୨୦ ସଂଗଠନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବ ବୋଲି ଜେଲେନ୍‌ସ୍କି ଆଶାବ୍ୟକ୍ତ କରିଛନ୍ତି । ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନ୍‌କୁ ସମସ୍ତ ପ୍ରକାର ମାନବିକ ସହାୟତା ଯୋଗାଇଥିବାରୁ ଜେଲେନ୍‌ସ୍କି ଭାରତକୁ ଧନ୍ୟବାଦର ପାତ୍ର ବୋଲି କହିଛନ୍ତି । ୟୁକ୍ରେନ୍ କୌଣସି ପରିସ୍ଥିତିରେ ଭାରତର ଏହି ବଦାନ୍ୟତାକୁ ଭୁଲିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଚଳିତବର୍ଷ ଫେବୃଆରୀର ୨୪ରୁ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନାହିଁ । ତେବେ ମୋଦୀ ଇତିମଧ୍ୟରେ ଉଭୟ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ଓ ଜେଲେନ୍‌ସ୍କିଙ୍କ ସହ ଏକାଧିକ ଥର ଫୋନ୍‌ରେ କଥାବାର୍ତ୍ତା କରିଥିବାବେଳେ କୂଟନୈତିକ ସ୍ତରରେ ସମାଧାନର ରାସ୍ତା ବାହାର କରିବାକୁ ଉଭୟପକ୍ଷକୁ ପରାମର୍ଶ ଦେଇସାରିଛନ୍ତି ।

Comments are closed, but trackbacks and pingbacks are open.