ସବୁ ଜିଲ୍ଲାରେ ବୃଦ୍ଧି କରାଯିବ କୋଭିଡ ଟେଷ୍ଟିଂ

22

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣକୁ ନେଇ ପୁଣି ଲୋକେ ଆତଙ୍କିତ ଥିବା ବେଳେ ଆଗକୁ ଏହା କିପରି ନିୟନ୍ତ୍ରଣାଧିନ ହେବ ସେଥିଲାଗି ରଣକୌଶଳ ଆରମ୍ଭ ହୋଇଛି । ରାଜ୍ୟରେ ଗତ ୩ ମାସ ମଧ୍ୟରେ କେବଳ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ସ୍ଥିତି ସୁରକ୍ଷିତ ରହିଛି । ତଥାପି ଏ ଦିଗରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ପୂର୍ବପରି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, ଟ୍ରେସିଂ ଓ ଟିକାକରଣ ସହିତ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ଓ ନୂଆ ଭାଇରସ ଚିହ୍ନଟ ହେଲେ ତୁରନ୍ତ ସେମାନଙ୍କର ଚିକିତ୍ସା କରିବା ଓ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।
ଏହି ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ, ରାଉରକେଲା ସରକାରୀ ହସ୍‌ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାଗୁଡ଼ିକରେ ଆସନ୍ତା୨୭ ତାରିଖରେ ମକ୍ ଡ୍ରିଲ୍ କରାଯିବ । ଏହାବ୍ୟତୀତ ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଲେ ଯେ କୋଭିଡ ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିଦେଶରେ ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଶୀଘ୍ର ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କ ଠାରୁ ଅଲଗା ରହିବା ଏବଂ ସର୍ବସାଧାରଣସ୍ଥଳରେ ଛେପ ନ ପକାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । କରୋନାର ନୂତନ ଲହରକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ରାଜ୍ୟ ସରକାର କୋଭିଡ ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଟେଷ୍ଟିଂ ଜାରି ରହିଛି । ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦୈନିକ ଅଧିକ ଟେଷ୍ଟିଂ କରାଯାଉଛି । ନୂଆ ଭାଇରସ୍ ପାଇଁ ଭୁବନେଶ୍ୱରର ଆଇଏଲ୍‌ଏସ୍ ଓ ଆରଏମ୍‌ଆରସି ଏବଂ ଏସ୍‌ସିବିରେ ଜିନୋମ ସିକ୍ୱେନ୍ସିଂ କରାଯାଉଛି । କୋଭିଡ ଚିକିତ୍ସା ଲାଗି ଏସ୍‌ସିବି, ଏମ୍‌କେସିଜି ଓ ବୁର୍ଲା ମେଡିକାଲରେ ୨୦ଟି ଲେଖାଏଁ ବେଡ ପ୍ରସ୍ତୁତ ରହିଛି । ଏଥିରେ ୧୫ଟି ଅକ୍ସିଜେନ ବେଡ୍ ଓ ୫ଟି ଆଇସିୟୁ ବେଡ୍ ସାମିଲ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨୦ଟି ଲେଖାଏଁ ବେଡ ସଂଖ୍ୟା ବୃଦ୍ଧି କରାଯାଇପାରେ । ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ୧୦ଟି ଲେଖାଏଁ ଅକ୍ସିଜେନ ସପୋର୍ଟ ଥିବା ବେଡର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଜିନୋମ ସିକ୍ୱେନ୍ସିଂକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ଭୁବନେଶ୍ୱରର ଆଇଏଲ୍‌ଏସ୍ ଓ ଆର୍‌ଏମ୍‌ଆର୍‌ସିଠାରେ ଏହି ସୁବିଧା ରହିଛି । ଖୁବ୍‌ଶୀଘ୍ର କଟକ ଏସ୍‌ସିବିରେ ଏହି ସୁବିଧା ମିଳିପାରିବ । ଅନ୍ୟ ସବୁ ଜିଲା ମଧ୍ୟ ଆଇଏଲ୍‌ଏସ୍ ଓ ଆର୍‌ଏମ୍‌ଆର୍‌ସିକୁ ଜିନୋମ ସିକ୍ୱେନ୍ସିଂ ପାଇଁ ନମୂନା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିଭଳି ହକି ବିଶ୍ୱକପ୍ ପାଇଁ ୩ଟି ସହରରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ । ଭୁବନେଶ୍ୱର, ରାଉରକେଲା ଏବଂ କଟକ ପାଇଁ ଅଧିକ ୩ଟି ଗାଡ଼ି ରହିବ । ୩ ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍ ରଖିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ୩ ସହରର ସମସ୍ତ ୟୁପିଏଚ୍‌ସି ଏବଂ ୟୁସିଏଚ୍‌ସିରେ ଟେଷ୍ଟିଂ ବ୍ୟବସ୍ଥା ରହିବ । ୟୁପିଏଚ୍‌ସି ଏବଂ ୟୁସିଏଚ୍‌ସିରେ ଆଣ୍ଟିଜେନ୍ ଓ ଆର୍‌ଟି-ପିସିଆର୍ ଟେଷ୍ଟ କରାଯିବ । ଏଥିସହିତ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଫିଭର କ୍ଲିନିକ ଖୋଲାଯିବା ସହିତ ବାକି ରହି ଯାଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ । ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ଥିବା ବେଳେ କୋଭିଡ୍ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣରେ କିଟ୍ ଏବଂ ଅକ୍ସିଜେନ ଆଗାମୀ ୩ ମାସ ପାଇଁ ପ୍ରସ୍ତୁତ ରଖିବାକୁ ନିଦ୍ଦେର୍ଶ ଦିଆଯାଇଛି । ସେହିପରି ବିମାନବନ୍ଦର ଏବଂ ପୋର୍ଟଗୁଡ଼ିକରେ ସତକର୍ତ୍ତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ଓଡ଼ିଶାରେ କୋଭିଡ୍ ଓମିକ୍ରନ୍‌ର ନୂଆ ବା ସବ୍ ଭାରିଏଣ୍ଟ ବିଏଫ୍‌୍‌. ୭ ଚିହ୍ନଟ ହୋଇଛି । ଗତ ତିନିମାସ ଭିତରେ ଓଡ଼ିଶାରେ ଆଉ କୌଣସି ଆକ୍ରାନ୍ତଙ୍କଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ କରାଯିବ । ଆକ୍ରାନ୍ତଙ୍କ ଜିନୋମ ସିକ୍ୟୁଏନ୍‌ସିଂ ହେବ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଜିନୋମ ସିକ୍ୟୁଏନସିଂ ଏବଂ ସଭିର୍ଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢ଼େ ତାପରେ ଅନ୍ୟ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.