କିଟରେ ଷ୍ଟାର୍ଟ ଅପ୍‍ ଇନୋଭେସନ୍‍ କନକ୍ଲେଭ

37

ଭୁବନେଶ୍ୱର,୯ ।୧୨: କିଟ୍‍ର ରୌପ୍ୟ ଜୟନ୍ତୀ ଓ କିଟ୍‍ ଟିବିଆଇର ୧୨ବର୍ଷ ପୂର୍ତ୍ତି ଅବସରରେ କିଟ୍‍ ଟିବିଆଇ ପକ୍ଷରୁ କିଟ୍‍ରେ ଶୁକ୍ରବାରଠାରୁ ଦୁଇଦିନିଆ ଷ୍ଟାର୍ଟ ଅପ୍‍ ଇନୋଭେସନ୍‍ କନ୍‍କ୍ଲେଭ ଆରମ୍ଭ ହୋଇଛି। ଆଜି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରାଳୟ ସଚିବ ଲୋକ ରଞ୍ଜନ କହିଲେ, ବିଭିନ୍ନ ଚାଲେଞ୍ଜ ମଧ୍ୟରେ ସୁଯୋଗର ସଦୁପଯୋଗ କରି ପାରିଲେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ। ଉଦ୍ୟୋଗୀ ହେବା ମଧ୍ୟ ସାମାଜିକ ଦାୟିତ୍ୱବୋଧ ବୋଲି ସେ କହିଥିଲେ। ଦେଶର ଉତ୍ତର ପୂର୍ବାଞ୍ଚଳରେ ଉଦ୍ୟୋଗ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସାଧାରଣରେ ଯେଉଁ ଧାରଣା ରହିଛି ତାହା ଭୁଲ୍‍ ବୋଲି ଶ୍ରୀ ରଞ୍ଜନ କହିଥିଲେ। ଏହି ଅଞ୍ଚଳରେ ଉଦ୍ୟୋଗ ପ୍ରତିଷ୍ଠା କରିବାର ଯଥେଷ୍ଟ ସୁଯୋଗ ଥିବାରୁ ଉଦ୍ୟୋଗୀମାନେ ଏହାର ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ। ଭାରତ ସରକାରଙ୍କ ଟେକ୍ନୋଲୋଜି ଡେଭଲପ୍‍ମେଣ୍ଟ ବୋର୍ଡର ସଚିବ ରାଜେଶ କୁମାର ପାଠକ ଛୋଟ ଛୋଟ ସହରରେ ଉଦ୍ୟୋଗ ଓ ଷ୍ଟାର୍ଟଅପ୍‍ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ଦିଗରେ ଟେକ୍ନୋଲୋଜି ଡେଭଲପ୍‍ମେଣ୍ଟ ବୋର୍ଡ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ କହିଥିଲେ। ଅହମ୍ମଦାବାଦ୍‍ସ୍ଥିତ ଏଣ୍ଟରପ୍ରେନିୟରସିପ୍‍ ଡେଭଲପ୍‍ମେଣ୍ଟ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ (ଇଡିଆଇଆଇ)ର ମହାନିର୍ଦ୍ଦେଶକ ସୁନିଲ ଶୁକ୍ଳା ଯୁବକଙ୍କ ମଧ୍ୟରେ ଔଦ୍ୟୋଗିକ ମନୋଭାବ ବିକାଶର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଲେ, ତାଙ୍କ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଉଦ୍ୟୋଗୀ ହେବାକୁ ଚାହୁଁଥିବା ଦେଶର ୫୨% ଯୁବକଙ୍କ ଭିତରେ ଏଥିପାଇଁ ଆତ୍ମବିଶ୍ୱାସ ନାହିଁ। ଆମକୁ ସେମାନଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଆତ୍ମବିଶ୍ୱାସ ଜନ୍ମାଇବାକୁ ପଡିବ। ଜଣେ ସଫଳ ଉଦ୍ୟୋଗୀ ହେବାପାଇଁ ଓଡ଼ିଶାରେ ମଧ୍ୟ ବ୍ୟାପକ ସମ୍ଭାବନା ରହିଛି ବୋଲି ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ଓ ଟେକ୍ନୋଲୋଜି ଡେଭଲପ୍‍ମେଣ୍ଟ ବୋର୍ଡର ପୂର୍ବତନ ସଚିବ ଏଚ୍‍ କେ ମିତ୍ତଲ ମତ ପ୍ରକାଶ କରିଥିଲେ।

କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ହେଉଛି ସଫଳ ଉଗ୍ୟୋଗର ଜ୍ୱଳନ୍ତ ଉଦାହରଣ। ଏହି ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା ସମୟରେ ବହୁ ବାଧାବିଘ୍ନ ଆସିଥିଲେ ମଧ୍ୟ ସେସବୁର ମୁକାବିଲା କରି ଆଜି କିଟ୍‍ ଓ କିସ୍‍କୁ ପ୍ରତିଷ୍ଠିତ କରିପାରିଛୁ। ସଫଳ ଉଦ୍ୟୋଗୀ ହେବା ପାଇଁ ଦୃଢ଼ ଆତ୍ମବିଶ୍ୱାସ, ନିଷ୍ଠା ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଲେ, କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ସର୍ବଦା ନୂତନ ସର୍ଜନା, ଷ୍ଟାର୍ଟଅପ୍‍ ଓ ଉଦ୍ୟୋଗକୁ ଗୁରୁତ୍ୱ ଦେଇଆସୁଛନ୍ତି। ଯେଉଁଥି ପାଇଁ କିଟ୍‍ ଟିବିଆଇ ଆଜି ସମଗ୍ର ଦେଶରେ ନବ ସର୍ଜନା ଓ ଷ୍ଟାର୍ଟଅପ୍‍ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। କିଟ୍‍ର ପୁରାତନ ଛାତ୍ର ଏବଂ ଭାରତୀୟ ଷ୍ଟାର୍ଟଅପ୍‍ର ପୋଷ୍ଟର ବୟ ତଥା ଫାରଆଇର ସିଓଓ ଗୌତମ କୁମାର ସମାଜର ସବୁ କ୍ଷେତ୍ରକୁ ଛୁଇଁଲା ଭଳି ସର୍ଜନା ଓ ବ୍ୟବସାୟର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କିଟ୍‍ ଟିବିଆଇରେ ପ୍ରଥମ ଷ୍ଟାର୍ଟଅପ୍‍ ପ୍ରତିଷ୍ଠା ସମୟରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ କିଭଳି ତାଙ୍କୁ ଉତ୍ସାହିତ କରିଥିଲେ ସେ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମରେ କିଟ୍‍ ଟିବିଆଇର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍‍ ଟିବିଆଇର ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମାନେ କିଟ୍‍ ଟିବିଆଇ ଇମ୍ପାକ୍ଟ ରିପୋର୍ଟକୁ ଉନ୍ମୋଚନ କରିବା ସହ ଉତ୍ତର ପୂର୍ବାଞ୍ଚଳ ଷ୍ଟାର୍ଟଅପ୍‍ ଏକ୍ସପୋକୁ ଉଦ୍‍ଘାଟନ କରିଥିଲେ। ଏହି କନ୍‍କ୍ଲେଭରେ ସଫଳ ଉଦ୍ୟୋଗୀ, ପୁଞ୍ଜି ନିବେଶକାରୀ, ସଫଳ ଷ୍ଟାର୍ଟଅପ୍‍ ପ୍ରତିଷ୍ଠାତାଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.