ରାଷ୍ଟ୍ରପତିଙ୍କୁ ଟିଏମ୍‌ସି ମନ୍ତ୍ରୀଙ୍କ ଅସୌଜନ୍ୟ ମନ୍ତବ୍ୟ ପ୍ରସଙ୍ଗ, କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା

21

କୋଲକାତା : କିଛିଦିନ ପୂର୍ବେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ । ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବିଜେପି ଏହାକୁ ନେଇ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛି । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । ଅଖିଳ କୌଣସି ପରିସ୍ଥିତିରେ ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅରୁଚିକର ମନ୍ତବ୍ୟ ଦେବା ଉଚିତ ହୋଇନାହିଁ । ତେଣୁ ମୋ ଦଳର ବିଧାୟକ ଓ ମନ୍ତ୍ରୀ ହୋଇଥିବାରୁ ଅଖିଳଙ୍କ ଏତାଦୃଶ ଆଚରଣ ପାଇଁ କ୍ଷମାଭିକ୍ଷା କରୁଛି ବୋଲି ମମତା କହିଛନ୍ତି । ମୁଁ, ମୋ ଦଳ ରାଷ୍ଟ୍ରପତିଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରୁଛୁ । ତେଣୁ ଏହି ପ୍ରସଙ୍ଗକୁ ଆଉ ଜଟିଳ ନକରିବାକୁୁ ମମତା ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଅଖିଳ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଶୁଭେନ୍ଦୁ କୁଆଡେ ଅଖିଳଙ୍କ ଚେହେରାକୁ ନେଇ କଟୁ ଟିପ୍ପଣୀ ଦେଇଥିଲେ । ତେବେ ନନ୍ଦିଗ୍ରାମରେ ଏକ ଉତ୍ସବରେ ଯୋଗଦେଇଥିବାବେଳେ ଅଖିଳ ଏହି ପ୍ରସଙ୍ଗ ଉଠାଇଥିଲେ । ଶୁଭେନ୍ଦୁ ମୋ ଚେହେରାକୁ ନାପସନ୍ଦ କରୁଛନ୍ତି । ତେବେ ତାଙ୍କ ଦଳର ନେତ୍ରୀ ତଥା ଭାରତର ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି ବୋଲି ଅଖିଳ କହିବାପରେ ଏହାକୁ ନେଇ ରାଜନୈତିକ ଝଡର ସୂତ୍ରପାତ ହୋଇଥିଲା । ପଶ୍ଚିମବଙ୍ଗ ବିଜେପି ବିଧାୟକମାନେ ସୋମବାର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି । ୭୨ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଅଖିଳ ଇସ୍ତଫା ଦେଇନଥିବା କିମ୍ବା ଅଖିଳଙ୍କୁ ମନ୍ତ୍ରିପଦରୁ ବରଖାସ୍ତ କରାଯାଇନଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.