କମର୍ସିଆଲ ଏଲପିଜି ୧୧୫.୫ ଟଙ୍କା କମିଲା: ଏଟିଏଫ୍ ମୂଲ୍ୟ ୪.୨% ବୃଦ୍ଧି

29

ନୂଆଦିଲ୍ଲୀ: ହୋଟେଲ ଓ ରେସ୍ତୋଁରାରେ ବ୍ୟବହୃତ ହେଉଥିବା ୧୯ କିଗ୍ରା ଓଜନ ବିଶିଷ୍ଟ ଏଲପିଜି (କମର୍ସିଆଲ ସିଲିଣ୍ଡର) ମୂଲ୍ୟରେ ମଙ୍ଗଳବାର ୧୧୫.୫ ଟଙ୍କା ହ୍ରାସ କରାଯାଇଛି । ଅପରପକ୍ଷରେ ବିମାନରେ ବ୍ୟବହୃତ ହେଉଥିବା ଏଟିଏଫ୍ (ଆଭିଏସନ ଟର୍ବାଇନ୍ ଫୁଏଲ) ମୂଲ୍ୟରେ ୪.୨ ପ୍ରତିଶତ ବୃଦ୍ଧି ଘଟିଛି । ଏଟିଏଫ୍ କିଲୋଲିଟର ମୂଲ୍ୟରେ ୪୮୪୨.୩୭ ଟଙ୍କା ବୃଦ୍ଧି ପାଇ ଏହା ୧,୨୦,୩୬୨.୬୪ ଟଙ୍କାରେ ପହଞ୍ଚିଛି । ଆନ୍ତର୍ଜାତିକ ମାର୍କେଟରେ ଚାଲିଥିବା ଧାରାକୁ ଅନୁସରଣ କରି ଏଭଳି ନିଷ୍ପତ୍ତି ନିଆଯାଇଥିବା ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ କୁହାଯାଇଛି । ମୂଲ୍ୟହ୍ରାସ ପରେ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୧୮୫୯.୫୦ ଟଙ୍କାରୁ ୧୭୪୪ ଟଙ୍କାକୁ ହ୍ରାସ ପାଇଛି । ଚଳିତବର୍ଷ ଜୁନ୍ ପରଠାରୁ ସପ୍ତମ ଥର ପାଇଁ କମର୍ସିଆଲ ସିଲିଣ୍ଡର ମୂଲ୍ୟ କମିଥିବା ଜଣାପଡିଛି । ମୋଟ ଉପରେ ଦେଖିବାକୁ ଗଲେ ଜୁନ୍ ପରଠାରୁ ଏପର୍ଯ୍ୟନ୍ତ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୬୧୦ ଟଙ୍କା କମିସାରିଲାଣି । ତେବେ ରୋଷେଇଘରେ ବ୍ୟବହ୍ୟୃତ ହେଉଥିବା ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିପର୍ତ୍ତିତ ରହିଛି । ବର୍ତ୍ତମାନ ୧୪.୨ କିଗ୍ରା ଓଜନ ବିଶିଷ୍ଟ ଡୋମେଷ୍ଟିକ୍ ଏଲପିଜି ମୂଲ୍ୟ ୧୦୫୩ ଟଙ୍କା ରହିଛି । ଆନ୍ତର୍ଜାତିକ ମାର୍କେଟ ତୁଳନାରେ ଏଭଳି ଏଲପିଜି ମୂଲ୍ୟ କମ୍ ରହିଥିବାରୁ ଏହାକୁ ଆଉ ହ୍ରାସ କରାଯାଇପାରିବନି ବୋଲି ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସାଧାରଣତଃ କମର୍ସିଆଲ ଏଲପିଜି ମୂଲ୍ୟକୁ ପ୍ରତିମାସ ସଂଶୋଧନ କରାଯାଉଥିବାବେଳେ ପ୍ରତି ୧୫ ଦିନରେ ଥରେ ଏଟିଏଫ୍ ମୂଲ୍ୟ ସଂଶୋଧିତ ହୋଇଥାଏ ।

Comments are closed, but trackbacks and pingbacks are open.