ଜିଓ ପକ୍ଷରୁ ୫ଜି ୱାଇଫାଇ ସେବା ଆରମ୍ଭ

31

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଜିଓ ପକ୍ଷରୁ ଶନିବାର ୫ଜି ୱାଇଫାଇ ସେବା ଶୁଭାରମ୍ଭ କରାଯାଇଛି । ରାଜସ୍ଥାନର ରାଜମସନ୍ଦ ଜିଲ୍ଲା ଅନ୍ତର୍ଗତ ନାଥ୍‌ଦ୍ୱାର ସହରରେ ଥିବା ଏକ ମନ୍ଦିରରେ ପ୍ରଥମେ ଏହି ସେବା ପ୍ରଚଳନ କରାଯାଇଛି । ପରବର୍ତ୍ତୀ ସମୟରେ ଏହା ରେଳୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ଧାର୍ମିକ ସ୍ଥଳୀ, ବ୍ୟବସାୟିକ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଜିଓ ପକ୍ଷରୁ ଚେନ୍ନାଇରେ ୫ଜି ଟେଲିକମ ସେବା ଆରମ୍ଭ କରାଯାଇସାରିଛି । ଏଥିପାଇଁ ଚେନ୍ନାଇରେ ‘ଜିଓ ୱେଲକମ୍ ଅଫର’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତଦନୁଯାୟୀ ନିମନ୍ତ୍ରିତ ଜିଓ ଉପଭୋକ୍ତାଙ୍କୁ ବିଟା ଟ୍ରାଏଲ ସମୟରେ ୫ଜି ସେବା ଯୋଗାଇ ଦିଆଯାଉଥିବାବେଳେ ସେକେଣ୍ଡ ପିଛା ୧ ଗିଗାବାଇଟ୍ ଅନ୍‌ଲିମିଟେଡ୍ ଡାଟା ମଧ୍ୟ ମିଳିପାରିବ ବୋଲି କୁହାଯାଇଛି । ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ୫ଜି ଇଣ୍ଟରନେଟ୍ ସେବା ଯୋଗାଇବାକୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିରେ ରିଲାଏନ୍ସ ଜିଓକୁ ସିଂହଭାଗ ମିଳିଥିବାବେଳେ ଭାରତୀ ଏୟାରଟେଲ, ଭଡାଫୋନ୍ ଓ ଅଦାନି ଗ୍ରୁପ୍ ମଧ୍ୟ କିଛିଟା ସୁଯୋଗ ପାଇଛନ୍ତି । ଅକ୍ଟୋବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଜି ସେବାକୁ ଉଦ୍‌ଘାଟନ କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୩ ସହରରେ ଏହାକୁ ପରୀକ୍ଷାମୂଳକଭାବେ କାର୍ଯ୍ୟକାରୀ କରାଯାଇଛି । ତେବେ ଆଗାମୀ ଦିନରେ ଦେଶର ପ୍ରତ୍ୟେକ ଘରେ, ପ୍ରତ୍ୟେକ ବ୍ୟକ୍ତି ୫ଜି ସେବା ପାଇବେ ବୋଲି ରିଲାଏନ୍ସ ଜିଓ ଅଧ୍ୟକ୍ଷ ଆକାଶ ଅମ୍ବାନୀ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed, but trackbacks and pingbacks are open.