ପ୍ରଥମରୁ ଫ୍ଲପ୍‌

39

ପ୍ରତ୍ୟେକ ଅଭିନେତା ଓ ଅଭିନେତ୍ରୀ ଚାହାନ୍ତି, ସେମାନଙ୍କ ପ୍ରଥମ ଫିଲ୍ମକୁ ଦର୍ଶକୀୟ ଆଦୃତି ମିଳୁ । ମାତ୍ର ବଲିଉଡ୍‌ରେ ଏମିତି କିଛି ଲୋକପ୍ରିୟ ତଥା ଆଗଧାଡ଼ିର ତାରକା ଅଛନ୍ତି, ଯେଉଁମାନଙ୍କ ପ୍ରଥମ ସିନେମା ଫ୍ଲପ୍ ହୋଇଛି । ତେବେ ପରବର୍ତ୍ତୀ ସମୟରେ ସେମାନେ ଏକାଧିକ ସୁପରହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇ ଲୋକପ୍ରିୟତା ହାସଲ କରିଛନ୍ତି ।
ସୈଫ୍ ଅଲୀ ଖାନ୍‌: ବଲିଉଡ୍‌ର ଛୋଟେ ନବାବ୍ ଭାବେ ପରିଚିତ ସୈଫ୍ ମଧ୍ୟ ଫ୍ଲପ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ‘ପରମ୍ପରା’ରେ ତାଙ୍କୁ ଦର୍ଶକୀୟ ଆଦୃତି ମିଳି ନ ଥିଲା । ଏହା ପରେ ସେ ବିଭିିନ୍ନ ସିନେମାରେ ଅଭିନୟ କରିବା ଆରମ୍ଭ କଲେ । ତା’ସହ ଲୋକପ୍ରିୟତା ସାଉଁଟିବାରେ ସଫଳ ହେଲେ ।


ଅମିତାଭ ବଚ୍ଚନ: ବଲିଉଡ୍ ଶେହନଶାହ ଅମିତାଭଙ୍କର ବି ପ୍ରଥମ ଫିଲ୍ମ ହିଟ୍ ହୋଇ ନ ଥିଲା । ୧୯୬୯ରେ ସେ ସିନେମା ‘ସାତ ହିନ୍ଦୁସ୍ତାନୀ’ରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ‘ଜଞ୍ଜିର୍‌’ ଓ ‘ଦିବାର’ ସିନେମାରେ ଅଭିନୟ କରି ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍‌ର ପରିଚୟ ହାସଲ କଲେ ।


ମାଧୁରୀ ଦୀକ୍ଷିତ୍‌: ୧୯୮୪ରେ ଧକ୍ ଧକ୍ ଗର୍ଲ ମାଧୁରୀ ‘ଅବୋଧ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ଏହା ସୁପରହିଟ୍ ସାବ୍ୟସ୍ତ ହୋଇ ନ ଥିଲା । ଯଦିଓ ଫିଲ୍ମ ହିଟ୍ ହୋଇ ନ ଥିଲା, କିନ୍ତୁ ମାଧୁରୀଙ୍କ ଅଭିନୟକୁ ଦର୍ଶକେ ଏଥିରେ ବେଶ୍ ପସନ୍ଦ କରିଥିଲେ । ଏହା ପରେ ସେ ଏକାଧିକ ସିନେମାରେ ଅଭିନୟ କରିବା ଆରମ୍ଭ କଲେ ।
ଅକ୍ଷୟ କୁମାର: ବଲିଉଡ୍ ଖିଲାଡି ଓରଫ୍ ଅକ୍ଷୟ କୁମାର ୧୯୯୧ରେ ‘ସୌଗନ୍ଧ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ଏହି ଫିଲ୍ମଟି ହିଟ୍ ହୋଇ ନ ଥିଲା । ତେବେ ପ୍ରଥମ ଫିଲ୍ମ ଫ୍ଲପ୍ ହେବା ଦେଖି ସେ କିଛି ସମୟ ପାଇଁ ଅଭିନୟ କରିବା ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଏକାଧିକ ସିନେମାର ଅଫର୍ ମିଳିଲା ।
କାଜୋଲ: ୧୯୯୨ରେ ସିନେମା ‘ବଖୁଡ଼ି’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଲୋକପ୍ରିୟ ଅଭିନେତ୍ରୀ କାଜୋଲ । ତେବେ ଏହା ହିଟ୍ ହୋଇ ନ ଥିଲା । ତାଙ୍କର ପ୍ରଥମ ବ୍ୟାବସାୟିକ ସୁପରହିଟ୍ ଫିଲ୍ମ ଥିଲା ‘ବାଜିଗର’ । ଏହା ୧୯୯୩ରେ ମୁକ୍ତିଲାଭ କରିଥିଲା । ଏହା ପରେ କାଜୋଲ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଭେଟି ଦେଲେ ।
ରାଣୀ ମୁଖାର୍ଜୀ: ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ହେଲେ ରାଣୀ ମୁଖାର୍ଜୀ । ତେବେ ଏକାଧିକ ଫ୍ଲପ୍ ଫିଲ୍ମ କରିବା ପରେ ତାଙ୍କୁ ସଫଳତା ମିଳିଥିଲା । ‘ରାଜା କି ଆଏଗୀ ବାରାତ୍‌’, ‘ମେହେନ୍ଦି’ ସିନେମାକୁ ଦର୍ଶକୀୟ ଆଦୃତି ମିଳି ନ ଥିଲା ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ସୁନ୍ଦରୀ ତଥା ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ଫିଲ୍ମ ବି ଥିଲା ଫ୍ଲପ୍ । ୧୯୯୭ରେ ‘ଔର୍ ପ୍ୟାର୍ ହୋ ଗୟା’ରୁ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଦର୍ଶକେ କିନ୍ତୁ ଫିଲ୍ମଟିକୁ ପସନ୍ଦ କରି ନ ଥିଲେ ।


ରଣବୀର କପୁର: ୨୦୦୭ରେ ଅଭିନେତା ରଣବୀର କପୁର ‘ସାବରିଆ’ ଫିଲ୍ମରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ମାତ୍ର ଏହା ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରି ନ ଥିଲା । ପରବର୍ତ୍ତୀ ସମୟରେ ସେ ଏକାଧିକ ସୁପରହିଟ୍ ଫିଲ୍ମ ଭେଟି ଦେଲେ ।

ସୋନମ୍ କପୁର: ସେହିପରି ଅଭିନେତ୍ରୀ ସୋନମ୍ କପୁର ମଧ୍ୟ ରଣବୀରଙ୍କ ସହ ‘ସାବରିୟା’ ସିନେମାରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ଏହା ହିଟ୍ ହୋଇ ନ ଥିଲା । ତେବେ ସୋନମ୍‌ଙ୍କୁ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଲାଗି ତାଙ୍କୁ ବହୁ ସମୟ ଲାଗିଥିଲା ।

Comments are closed, but trackbacks and pingbacks are open.