କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର, ଆଉ ୩ ମାସ ବଢ଼ିଲା ମାଗଣା ରାସନ

30

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି।ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନର ଅବଧିକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମୟସୀମାକୁ ଆସନ୍ତା ଡିସେମ୍ବର ମାସ ଯାଏଁ ବୃଦ୍ଧି କରିଛନ୍ତି। ଆଜି ଏ ସମ୍ପର୍କରେ କେନ୍ଦ୍ରୀୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ପିଏମ ଗରିବ କଏ୍ୟାଣ ଅନ୍ନ ଯୋଜନାରେ ଦେଶର ଅଧିକାଂଶ ଜନସଂଖ୍ୟାକୁ ସରକାର ସାମିଲ କରିଛନ୍ତି । ଏହା ଯୋଗୁଁ ସରକାରଙ୍କୁ ବାର୍ଷିକ ୧୮ ବିଲିୟନ ଡଲାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡେ ।

ସୂଚନାଯୋଗ୍ୟ କୋଭିଡ ଲକଡାଉନ୍ ସମୟରେ ମାର୍ଚ୍ଚ ୨୦୨୦ ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଆରମ୍ଭ କରାଯାଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ଥିବା ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଲକଡାଉନ୍ ଅବଧିରେ ମାସକୁ ମାଗଣାରେ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ ଏହା ଆରମ୍ଭ କରାଯାଇଥିଲା । ସେବେଠାରୁ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇଛି ଓ ଯୋଜନାର ମୂଲ୍ୟ ପ୍ରାୟ ୪୪ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ଡିସେମ୍ବର ପର୍ଯ୍ୟନ୍ତ ସରକାର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ ଓ ଗହମ ଯୋଗାଇ ଦେବେ। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଯୋଜନାରେ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏହି ଯୋଜନାରେ ରାସନକାର୍ଡଧାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ବ୍ୟକ୍ତି ପ୍ରତି ୫ କିଲୋ ରାସନ ମାଗଣାରେ ଯୋଗାଇ ଦେଇଥାନ୍ତି । ମାଗଣା ରାସନ ଯୋଜନା ଏହି ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଶେଷ ହେଉଥିଲା, ଯାହାକୁ ବର୍ତ୍ତମାନ ଆଉ ୩ ମାସ ପାଇଁ ବୃଦ୍ଧି କରାଯାଇଛି।

Comments are closed, but trackbacks and pingbacks are open.