ସୋନାଲି ଫୋଗଟ୍ ହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

23

ନୂଆଦିଲ୍ଲୀ: ହାଇ ପ୍ରୋଫାଇଲ୍ ସୋନାଲି ଫୋଗଟ୍ ହତ୍ୟା ମାମଲାର ତଦନ୍ତ ଏବେ ସିବିଆଇ କରିବ । ସୂତ୍ର ଅନୁସାରେ ଗୃହ ମନ୍ତ୍ରଣାଳୟ ତଦନ୍ତ ପାଇଁ ସୁପାରିସ କରିଛି । ଏହା ପୂର୍ବରୁ ମଧ୍ୟ ଗୋଆ ସରକାର ମଧ୍ୟ ମାମଲା ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ, ସୋନାଲିଙ୍କ ପରିବାର ଏବଂ କନ୍ୟାଙ୍କ ଲଗାତାର ଦାବି ଯୋଗୁଁ ମାମଲାର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ରବିବାର ହିସାରର ଏକ ଧର୍ମଶାଳା ଏହି ଦାବିରେ ଏକ ଖାପ୍ ପଞ୍ଚାୟତର ଆୟୋଜନ କରାଯାଇଥିଲା, ଯେଉଁଥିରେ ସୋନାଲିଙ୍କ କନ୍ୟା ଯଶୋଧରା ମଧ୍ୟ ଉପସ୍ଥିତ ଥିଲେ । ସୋନାଲି ଫୋଗଟ୍ ହତ୍ୟା ମାମଲାର ତଦନ୍ତ ଗୋଆ ପୁଲିସ କରୁଥିଲା । ପୁଲିସର ତଦନ୍ତ ମଧ୍ୟ ଠିକ୍ ଦିଗରେ ଗତି କରୁଥିଲା ଏବଂ ପୁଲିସ୍ କେତେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମଧ୍ୟ ପାଇଥିଲା ବୋଲି ଗୋଆ ମୁଖ୍ୟମନ୍ତ୍ରୀ କହିଥିଲେ । ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର୍ ମଧ୍ୟ ମାମଲାର ସିବିଆଇ ତଦନ୍ତ କରାଯିବା ଉଚିତ ବୋଲି କହିଥିଲେ । ସେ କହିଥିଲେ ଗୋଆ ପୁଲିସ ତଦନ୍ତରେ ଯଦି ପରିବାର ସନ୍ତୁଷ୍ଟ ନାହାନ୍ତି, ତେବେ ମାମଲା ସିବିଆଇକୁ ପ୍ରଦାନ କରାଯିବା ଉଚିତ । ଗୋଆ ପୁଲିସ ଟିମ୍ ଗତ କିଛିଦିନ ହେଲା ଗୁରୁଗ୍ରାମ, ନୋଏଡା ଏବଂ ଅନ୍ୟ ସ୍ଥାନକୁ ଯାଇ ପ୍ରମାଣ ଯୋଗାଡ଼ କରୁଥିଲା ।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ ସୋନାଲି ଫୋଗଟ୍‌ଙ୍କର ଗୋଆର ଏକ ରେସ୍ତୋରାଁରେ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା । ତାଙ୍କୁ ମୃତ ଅବସ୍ଥାରେ ଅଞ୍ଜୁନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହି ମାମଲାରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍ ଏବଂ ବଲବିନ୍ଦର ସିଂହଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନେ ତାଙ୍କୁ ଡ୍ରଗ୍ସ ଦେଇଥିବା ସ୍ୱୀକାର କରିଥିଲେ । ପ୍ରଥମେ ସୋନାଲିଙ୍କ ମୃତ୍ୟୁ ହାର୍ଟ ଆଟାକ୍ କାରଣରୁ ହୋଇଥିବା କୁହାଯାଉଥିଲା । ମାତ୍ର ପରେ ତାଙ୍କ ଶରୀରରେ କ୍ଷତଚିହ୍ନ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଥିଲା ।

Comments are closed, but trackbacks and pingbacks are open.