ପାକିସ୍ତାନ ସବୁଠୁ ଅଧିକ ଋଣ ଆଣିଛି, ଚୀନ୍ ଋଣଜନ୍ତାରେ ୯୭ ରାଷ୍ଟ୍ର

80

କଲମ୍ବୋ: ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଚୀନ୍ ୯୭ଟି ରାଷ୍ଟ୍ରକୁ ଋଣ ଦେଇଥିବବେଳେ ପାକିସ୍ତାନ ଏହି ତାଲିକାର ସର୍ବାଗ୍ରେ ରହିଛି । ପାକିସ୍ତାନ ଚୀନ୍ ନିକଟରୁ ୭୭.୩ ବିଲିୟନ ଡଲାର କରଜ କରିଛି । ଏହାପଛକୁ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲା ଓ ଇଥିଓପିଆ ରହିଛନ୍ତି । ଆଙ୍ଗୋଲାର ଋଣ ପରିମାଣ ୩୬.୩ ବିଲିୟନ ଡଲାର ଥିବାବେଳେ ଇଥିଓପିଆ ୭.୯ ବିଲିୟନ ଡଲାର ଋଣରେ ବୁଡିରହିଛି । ଏସୀୟ ରାଷ୍ଟ୍ର ମଧ୍ୟରେ ଶ୍ରୀଲଙ୍କା ପାକିସ୍ତାନ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଘୋର ଆର୍ôଥକ ଦୂରବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କା ଚୀନ୍ ନିକଟରୁ ୬.୮ ବିଲିୟନ ଡଲାର କରଜ କରିସାରିଛି । ବିଭିନ୍ନ ପ୍ରକଳ୍ପ ପାଇଁ ଶ୍ରୀଲଙ୍କା ଚୀନ୍‌ରୁ ଋଣ ଆଣିଥିଲା । ତେବେ ମୂଳ କିମ୍ବା ସୁଧ ପରିଶୋଧ କରିନପାରିବାରୁ ଶ୍ରୀଲଙ୍କା ୨୦୧୭ରେ ହମ୍ବନଟୋଟା ବନ୍ଦରକୁ ଚୀନ୍‌କୁ ଲିଜ୍ ସୂତ୍ରରେ ଦେବାକୁ ବାଧ୍ୟ ହୋଇଥିଲା । ମାଳଦ୍ୱୀପ ମଧ୍ୟ ଚୀନ୍ ଋଣଜନ୍ତାରୁ ମୁକୁଳି ପାରୁନାହିଁ । ୨୦୨୨ ସୁଦ୍ଧା ବିଶ୍ୱର ସ୍ୱଳ୍ପ ଆୟକାରୀ ରାଷ୍ଟ୍ରଗୁଡିକ ଯେତେ ବୈଦେଶିକ ଋଣ କରିଛନ୍ତି, ତନ୍ମଧ୍ୟରୁ ଚୀନ୍‌ର ଅବଦାନ ହେଉଛି ୩୭ ପ୍ରତିଶତ । ଗରିବ ଓ ଅନୁନ୍ନତ ରାଷ୍ଟ୍ରରେ ବନ୍ଦର, ରେଳପଥ କିମ୍ବା ଅନ୍ୟ ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇ ଚୀନ୍ ଋଣ ପ୍ରଦାନ କରୁଛି । ଆଙ୍ଗୋଲା ଓ ଜିବୋତି ଭଳି ଆଫ୍ରିକୀୟ ରାଷ୍ଟ୍ର ସେମାନଙ୍କର ମୋଟ ଜାତୀୟ ଆୟର ୪୦ ପ୍ରତିଶତ ଅର୍ଥ ଚୀନ୍‌ରୁ ଋଣ ଆକାରରେ ନେଇଥିବା ଜଣାପଡିଛି । ଗରିବ ରାଷ୍ଟ୍ରକୁ ଋଣଜନ୍ତାରେ ଫସାଇ ଚୀନ୍ ନିଜର ଫାଇଦା ଉଠାଉଛି ବୋଲି ଅଧିକାଂଶ ବିକଶିତ ରାଷ୍ଟ୍ର ଅଭିଯୋଗ କରୁଥିବାବେଳେ ଚୀନ୍ କିନ୍ତ ଏହାକୁ ଅପପ୍ରଚାର ଆଖ୍ୟା ଦେଇଚାଲିଛି ।

Comments are closed, but trackbacks and pingbacks are open.