କଂଗ୍ରେସର ହାଲ୍ଲା ବୋଲ୍ ପାର୍ଟି: ବିଜେପିକୁ ଟାର୍ଗେଟ କଲେ ରାହୁଲ

30

ନୂଆଦିଲ୍ଲ: ମୂଲ୍ୟବୃଦ୍ଧି ପ୍ରସଙ୍ଗକୁ ନେଇ ରବିବାର ନୂଆଦିଲ୍ଲୀର ରାମଲୀଳା ଗ୍ରାଉଣ୍ଡରେ କଂଗ୍ରେସ ପକ୍ଷରୁ ‘ହାଲ୍ଲା ବୋଲ୍‌’ ପାର୍ଟି ଆୟୋଜିତ ହୋଇଛି । ଏହାକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟା ବୃଦ୍ଧି ପାଉଥିବାରୁ ଜନସାଧାରଣ ସେମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଥିବା ରାହୁଲ କହିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ସବୁ ଯୋଜନାରେ କେବଳ ଦୁଇଜଣ ଶିଳ୍ପପତି ଲାଭବାନ ହେଉଥିବା ରାହୁଲ ଅଭିଯୋଗ କରିଛନ୍ତି । ରାହୁଲ ସେମାନଙ୍କର ନାମ ଉଚ୍ଚାରଣ କରିନଥିଲେ ସୁଦ୍ଧା ତାଙ୍କର ଇଙ୍ଗିତ ଗୌତମ ଅଦାନୀ ଆଡକୁ ଥିବା ଅନୁମାନ କରାଯାଉଛି । ବନ୍ଦର ହେଉ କିମ୍ବା ବିମାନବନ୍ଦର, ସବୁ ଟେଣ୍ଡର ଏହି ଶିଳ୍ପପତିଙ୍କ ଝୁଲାକୁ ଯାଉଥିବା ରାହୁଲ କହିଛନ୍ତି । ଏହି ଦୁଇ ଶିଳ୍ପପତି ୨୪ ଘଣ୍ଟା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କାର୍ଯ୍ୟ କରୁଥିବାବେଳେ ମୋଦୀ ମଧ୍ୟ ୨୪ ଘଣ୍ଟା ସେମାନଙ୍କ ସ୍ୱାର୍ଥ ପ୍ରତି ସତର୍କ ରହିଥିବା ରାହୁଲ କହିଛନ୍ତି । ୨୦୧୪ରୁ କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ଦେଶରେ ଘୃଣା ଓ ବିଦ୍ୱେଶଭାବେ ବୃଦ୍ଧି ପାଉଥିବା ସେ ଅଭିଯୋଗ କରିଛନ୍ତି । ଏହାକୁ ଚପାଇବାକୁ ଗଣମାଧ୍ୟମ ଓ ନ୍ୟାୟାଳୟ ଉପରେ ଚାପ ପଡୁଥିବା ରାହୁଲ କହିଛନ୍ତି । ନିର୍ବାଚନରେ ଦଳକୁ ସୁହାଇବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ବାଦ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ବିଗତ ୮ ବର୍ଷ ମଧ୍ୟରେ ମୋଦୀ ଦେଶକୁ ଦୁର୍ବଳ ଓ କାଙ୍ଗାଳ କରିଦେଇଛନ୍ତି ବୋଲି ରାହୁଲ ମତବ୍ୟକ୍ତ କରିଛନ୍ତି । ଚଳିତମାସ ୭ରୁ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ଆରମ୍ଭ ହେବାକୁ ଯାଉଛି । ଦେଶବାସୀଙ୍କୁ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ସଚେତନ କରାଇବାକୁ ଏହି ଯାତ୍ରା ଉଦ୍ଦିଷ୍ଟ ବୋଲି ରାହୁଲ କହିଛନ୍ତି ।

Comments are closed, but trackbacks and pingbacks are open.