ରିପୋର୍ଟ-୨୦୨୧: ସଡ଼କ ଦୁର୍ଘଟଣାରେ ମରିଛନ୍ତି ୧.୫୫ ଲକ୍ଷ

33

ନୂଆଦିଲ୍ଲୀ : ୨୦୨୧ରେ ଦେଶରେ ସଡ଼କ ଦୁର୍ଘଟଣାରେ ୧.୫୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ବୋଲି ଏନ୍‌ସିଆର୍‌ବି (ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ) ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଫଳରେ ପ୍ରତି ଘଣ୍ଟାରେ ୧୮ ଏବଂ ପ୍ରତିଦିନ ୪୨୬ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ବ୍ୟତୀତ ୩.୭୧ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଉକ୍ତ ରିପୋର୍ଟରୁ ଜଣାପଡିଛି । ଗତବର୍ଷ ଦେଶରେ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଥିଲା । ପୂର୍ବବର୍ଷ ତୁଳନାରେ ୨୦୨୧ରେ ଅଧିକ ସଡ଼କ ଦୁର୍ଘଟଣା ଘଟିଥିବା କୁହାଯାଇଛିି । ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୧ରେ ପ୍ରତି ଏକ ହଜାରରେ ମୃତ୍ୟୁ ସଂଖ୍ୟା ୦.୫୩ ଥିବାବେଳେ ୨୦୨୦ରେ ଏହା ୦.୪୫ ଓ ୨୦୧୯ରେ ୦.୫୨ ରହିଥିଲା । ୨୦୨୦ରେ କୋଭିଡ୍ ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଥିଲା । ଏହାସତ୍ତ୍ୱେ ସେହିବର୍ଷ ଦେଶରେ ୩.୫୪ ଲକ୍ଷ ସଡ଼କ ଦୁର୍ଘଟଶା ଘଟିଥିବାବେଳେ ୧.୩୩ ଲକ୍ଷ ଲୋକଙ୍କର ପ୍ରାଣହାନି ଘଟିଥିଲା ଏବଂ ୩.୩୫ ଲକ୍ଷ ଲୋକ ଆହତ ହୋଇଥିଲେ । ତଥ୍ୟ ଅନୁଯାୟୀ ୨୦୧୯ରେ ୪.୩୭ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୧.୫୪ ଲକ୍ଷ ଲୋକ ମରିଥିଲେ ଏବଂ ୪.୩୯ ଲକ୍ଷ ଆହତ ମଧ୍ୟ ହୋଇଥିଲେ । ୨୦୧୮ରେ ୪.୪୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୧.୫୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୪.୪୬ ଲକ୍ଷ ଲୋକ ଆହତ ହୋଇଥିଲେ । ସାଧାରଣତଃ ସଡ଼କ ଦୁର୍ଘଟଣାରେ ମୃତକଙ୍କ ତୁଳନାରେ ଆହତଙ୍କ ସଂଖ୍ୟା ଅଧିକ ରହୁଥିବାବେଳେ ପଞ୍ଜାବ, ମିଜୋରାମ, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ଅ।।ହତଙ୍କ ତୁଳନାରେ ମୃତକଙ୍କ ସଂଖ୍ୟା ଅଧିକ ରହୁଥିବା ରିପୋର୍ଟରୁ ଜଣାପଡିଛି । ୨୦୨୧ରେ ମିଜୋରାମରେ ୬୪ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୬୪ ଲୋକଙ୍କର ମୃତ୍ୟୁ ଓ ୨୮ ଜଣ ଆହତ ହୋଇଥିଲେ । ସେହିପରି ପଞ୍ଜାବରେ ୬୦୯୭ ସଡ଼କ ଦୁର୍ଘଟଣାରେ ୪୫୧୬ ଜଣଙ୍କର ମୃତ୍ୟୁ ଓ ୩୦୩୪ ଜଣ ଆହତ ହୋଇଥିଲେ । ଝାଡ଼ଖଣ୍ଡରେ ଘଟିଥିବା ୪୭୨୮ ସଡକ ଦୁର୍ଘଟଣାରେ ୩୫୧୩ ଜଣ ମୃତ ଓ ୩୨୨୭ ଜଣ ଆହତ ହୋଇଥିଲେ । ଉତ୍ତରପ୍ରଦେଶରେ ସର୍ବାଧିକ ୩୩,୭୧୧ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୨୧,୭୯୨ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୯,୮୧୩ ଜଣ ଆହତ ହୋଇଥିଲେ । ୨୦୨୧ରେ ଅନ୍ୟ ଯାନ ତୁଳନାରେ ବସ୍ ଯାତ୍ରା ଅଧିକ ସୁରକ୍ଷିତ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅତ୍ୟଧିକ ବେଗ, ଡ୍ରାଇଭରମାନେ ନିଶାସକ୍ତ ହୋଇ ଗାଡି ଚଳାଇବା ଏଭଳି ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଇଛି । କେବଳ ଖରାପ ପାଣିପାଗ ଯୋଗୁଁ ୨.୦୮ ପ୍ରତିଶତ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.