ଅଧିକ ଘନୀଭୂତ ହେଉଛି ଲଘୁଚାପ, ୨ ଦିନ ଧରି ପ୍ରବଳ ବର୍ଷିବା ସମ୍ଭାବନା

48

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି I ଏହାର ପ୍ରଭାବ ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କ୍ରମେ ଏହା ଅବପାତରେ ପରିଣତ ହୋଇ ଦୁଇ ଦିନ ସମୁଦ୍ରରେ ରହିବା ପରେ ୯ ତାରିଖରେ ଏହା ଅବପାତର ରୂପ ନେବ । ପରେ ଛତିଶଗଡ ଆଡ଼କୁ ମୁହାଁଇବ । ତେବେ ଆଜି ୨ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଓ ୧୦ଟି ଜିଲ୍ଲା ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୯ ଏବଂ ୧୦ ତାରିଖରେ ଭାରି ବର୍ଷା ହେବ । ଭୁବନେଶ୍ୱର ସମେତ ବାକି ଉପକୂଳ ଜିଲ୍ଲାରେ ୯ ତାରିଖରେ ଭାରି ବର୍ଷା ରହିଛି ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଏହି ଲଘୁଚାପ କେନ୍ଦ୍ରସ୍ଥଳରେ ବାୟୁର ଚାପ ୯୮୯ ମିଲି ବାର୍‌କୁ ଖସି ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁ ମହାନଦୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ସମେତ ମହାନଦୀର ସମସ୍ତ ଉପନଦୀ ଫୁଲିପାରେ । ବ୍ରାହ୍ମଣୀ ଓ ବୈତରଣୀର ଜଳସ୍ତର ମଧ୍ୟ ବଢ଼ିବ ବୋଲି ସେ ସତର୍କ କରାଇଛନ୍ତି I
ଆଜି ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଫଳରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ , ତଳୁଆ ଅଞ୍ଚଳରେ ପାଣି ଜମିବା ଭଳି ସମସ୍ୟା ସୃଷ୍ଟି ହେବା ସହ କଚ୍ଚା ଘର ଭୁଷୁଡି ପଡିବା ଓ ଚାଷ ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ସମ୍ଭାବନା ରହିଛି।
ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Comments are closed, but trackbacks and pingbacks are open.