ସମ୍ ଡାକ୍ତରଖାନାର ଆଉ ଏକ ସଫଳତା; ବିରଳ ଅସ୍ତ୍ରୋପଚାର କରି ଯୁବତୀଙ୍କ ଛାତିରୁ ୩ କିଲୋର ଟ୍ୟୁମର ବାହାର କଲେ ଡାକ୍ତରୀ ଦଳ

33

 “ଡାକ୍ତରଖାନାକୁ ଆସିବା ବେଳେ ମୁଁ ଆଉ ବଞ୍ଚିବି ବୋଲି ଭାବି ନଥିଲି। ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି” । ଖୁସିରେ ଏପରି କହିଛନ୍ତି ସମ୍ ଡାକ୍ତରଖାନାରୁ ସୋମବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରୁଥିବା ଜଣେ ୨୩ ବର୍ଷର ଯୁବତୀ। ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ ।ସୋନାଲୀଙ୍କ ଉପସ୍ଥିତିରେ ଏହି ସଫଳ ଅସ୍ତ୍ରୋପଚାର ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍‌ର ଡାକ୍ତର ଓ କର୍ତ୍ତୃପକ୍ଷ ।

ଛାତିରେ ଟ୍ୟୁମର ଥିବା ଯୋଗୁଁ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ନେଇ ସୋନାଲୀ ଅନେକ ଡାକ୍ତରଖାନା ବୁଲିବା ପରେ ଶେଷରେ ସମ୍ ଡାକ୍ତରଖାନା ଆସିଥିଲେ। ପ୍ରଥମେ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ସୁରଥ ପଣ୍ଡାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ କରାଯାଇ ତାଙ୍କ ଛାତିରେ ଏକ ବଡ ଟ୍ୟୁମର ରହିଛି ବୋଲି ଜଣା ପଡ଼ିଥିଲା।  ଯାହାକି ହୃତ୍‌ପିଣ୍ଡ ଓ ଶ୍ୱାସନଳୀକୁ ଡାହାଣପଟକୁ ଠେଲି ରଖିଥିଲା ଓ ବାମପଟର ଫୁସ୍‌ଫୁସ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିଲା । ଫଳରେ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଉଥିଲା ଓ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ।

ତାଙ୍କ ଶରୀରରେ ଥିବା ଟ୍ୟୁମରଟି କ୍ୟାନ୍‌ସର ନଥିଲା ଓ ଏହାକୁ ଇନ୍‌ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୩ କେଜି ଥିଲା ବୋଲି ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଥିଲା। ଏହା ସହ ତାଙ୍କ ମୁହଁ ଏବଂ ହାତରେ ଅନେକ ଗୁଡ଼ିଏ ନ୍ୟୁରୋଫାଇବ୍ରୋମା ସୃଷ୍ଟି ହୋଇଥିଲା। ଡାକ୍ତର ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିବାକୁ ନିଷ୍ପତି ନେଇଥିଲେ । ରୋଗୀର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଏତେ ବଡ ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା। ତେବେ କାର୍ଡିଆକ୍ ଆନେସ୍‌ଥେଟିଷ୍ଟ ଡାକ୍ତର ସୁଶାନ୍ତ କୁମାର ଭୋଇଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସମ୍ଭବପର ହୋଇଥିଲା ।

କ୍ଲାମ୍‌ସେଲ ଥୋରାକ୍ଟୋମି ଓ ମେଡିଆନ୍ ଷ୍ଟେର୍‌ନୋଟୋମି ପଦ୍ଧତିରେ ଗୋଟିଏ ପଟର କାନ୍ଧରୁ ଅନ୍ୟପଟକୁ କଟାଯାଇ ଟ୍ୟୁମରଟିକୁ କଢ଼ା ଯାଇପାରିଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।ଏହି ଅସ୍ତ୍ରୋପଚାର ଓ ପରବର୍ତ୍ତୀ ଚିକିତ୍ସା କରିଥିବା ଟିମ୍‌ରେ ଡାକ୍ତର ସାହୁ ଓ ଡାକ୍ତର ଭୋଇଙ୍କ ସହିତ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶକ୍ତିବେଦାନ୍ତ ମିଶ୍ର ଓ ଡାକ୍ତର ସାଗରିକା ପଣ୍ଡା ସାମିଲ ହୋଇ ରୋଗୀର ଯତ୍ନ ନେଇଥିଲେ ।

ଅସ୍ତ୍ରୋପଚାର ପରେ ରୋଗୀଙ୍କର ସୁସ୍ଥ ହେବା ଗରୁତ୍ୱପୂର୍ଣ୍ଣ ଥିବା ବେଳେ ପ୍ରାୟ ଗୋଟିଏ ମାସ ଧରି ଆଇସିୟୁରେ ତାଙ୍କର ଯତ୍ନ ନିଆଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି। ସେହିପରି ଅପରେସନ୍ ପରେ ଛାତିର କସ୍‌ମେଟିକ୍ ରିପେୟାର କରିଥିଲେ ପ୍ଲାଷ୍ଟିକ୍ ସର୍ଜନ୍ ଡାକ୍ତର ବିନାୟକ ମିଶ୍ର । ବିଏସ୍‌କେୱାଇ ଯୋଜନାରେ ଏହି ଯୁବତୀଙ୍କର ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସା କରାଯାଇଥିଲା ବୋଲି ସମ୍‌ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଥିଲେ ।

ଏହା ଏକ ଡାକ୍ତରୀ ଟିମ୍‌ର ସଫଳତା । ସିଟିଭିଏସ୍‌, କ୍ରିଟିକାଲ କେୟାର, ଥୋରାସିକ୍‌, ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମିଳିତ ସହଯୋଗରେ ଏହି ଅସ୍ତ୍ରେପଚାର ସଫଳ ହୋଇଥିବା ମେଡିସିନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟ ସୁରଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଝିଅ ସୁସ୍ଥ ହେବା ପରେ ସମ୍ ଡାକ୍ତରଖାନା ଓ ଡାକ୍ତର ସାହୁଙ୍କ ସହିତ ସମ୍ପୂର୍ଣ୍ଣ ଡାକ୍ତରୀ ଟିମ୍‌କୁ ସୋନାଲୀଙ୍କ ମା ଓ ତାଙ୍କ ସମ୍ପର୍କୀୟ ଡାକ୍ତର ଏଲଏନ ପଣ୍ଡା କୃତଜ୍ଞତା ଜଣାଇଛନ୍ତି। ବିଏସ୍‌କେୱାଇ ଯୋଜନାରେ ଏହି ଚିକିତ୍ସା ସମ୍ଭବପର ହୋଇପାରିଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଡାକ୍ତର ପଣ୍ଡା ଧନ୍ୟବାଦ ଜଣାଇଛନ୍ତି ।

Comments are closed, but trackbacks and pingbacks are open.