ଓଡ଼ିଶାରେ ବାତ୍ୟା ର ବିଶେଷ ପ୍ରଭାବ ନାହିଁ : ଏସଆରସି

25

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଆଉ ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଛଲିପଟ୍ଟନମ ନିକଟରେ ଉପକୂଳ ଛୁଇଁବା ପରେ ଡାହାଣକୁ ଗତିପଥ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତରପୂର୍ବ ଦିଗରେ ସମୁଦ୍ର କୂଳ ଦେଇ ପୁଣିଥରେ ସମୁଦ୍ର ଭିତରକୁ ଚାଲିଯିବ । ଏହା ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ । ଆଜି ସନ୍ଧ୍ୟାରେ ଏକ ପ୍ରେସମିଟରେ ଏସଆରସି କହିଛନ୍ତି ଯେ ରାଜ୍ୟରେ ବର୍ଷା ଯୋଗୁ କୌଣସି ସ୍ଥାନରେ ଜଳବନ୍ଦୀ ହୋଇନାହିଁ। ତେବେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଂଜାମ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ସେ କହିଛନ୍ତି। ସେହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି। ବାତ୍ୟା ଅସାନି ଯୋଗୁ ରାଜ୍ୟରେ ବର୍ଷା କି ପବନ ଅଧିକ ହେବ ନାହିଁ I ତେଣୁ ଓଡ଼ିଶାରେ କୌଣସି ବିପଦ ଆଶଙ୍କା ନାହିଁ ବୋଲି ଏସଆରସି କହିଛନ୍ତି। ତେଣୁ ଯଦି ବି କେଉଁଠି କିଛି ସ୍ଥାନୀୟସ୍ତରରେ ସମସ୍ୟା ଦେଖାଦିଏ, ତା’ହେଲେ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ମୁତୟନ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ସହାୟତାରେ ପରିସ୍ଥିତିର ମୁକାବିଲା କରିପାରିବେ ।

ସେ ସୂଚନା ଦେଇ କହିଛନ୍ତି ଯେ ବାତ୍ୟା ଅସାନି ଏବେ ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇଛି ଓ ଆଉ ଅଳ୍ପ ସମୟ ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। କାକିନାଡ଼ା ଓ ନର୍ସପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରାଯାଉଛି। ସ୍ଥଳଭାଗରେ ବାତ୍ୟା ଅସାନି କିଛି ସମୟ ଗତି କରିବା ପରେ ଏହା ଦିଗ ପରିବର୍ତ୍ତନ କରି କାଲି ସକାଳ ସୁଦ୍ଧା ସମୁଦ୍ର ମଧ୍ୟକୁ ପ୍ରବେଶ କରିବ ଓ ଉପକୂଳ ଦେଇ ଗତି କରିବ। ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।

Comments are closed, but trackbacks and pingbacks are open.