ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ: ସୁବ୍ରତ ବାଗ୍‌ଚୀ

21

ଓଡିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ। କାରଣ ରାଜ୍ୟର ଆଇଟିଆଇ ଏବଂ ପଲିଟେକନିକ କେବଳ ଦକ୍ଷତା ବିକାଶର କେନ୍ଦ୍ରସ୍ଥଳୀ ନୁହେଁ ବରଂ ମାନବ ରୂପାନ୍ତରଣର କେନ୍ଦ୍ର ହେବେ ବୋଲି ଦିନିକିଆ ନେତୃତ୍ୱ ବିକାଶ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଉଲ୍ଲେଖ କରିଥିଲେ। ଆଜି ରାଜ୍ୟର ସମସ୍ତ ୪୯ଟି ଆଇଟିଆଇ ଏବଂ ୩୭ଟି ପଲିଟେକନିକ ଅନୁଷ୍ଠାନର ମୁଖ୍ୟମାନଙ୍କୁ ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଏକ ନେତୃତ୍ୱ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଇଟିଆଇ ଏବଂ ପଲିଟେକନିକମାନେ କିଭଳି ଭାବେ ବ୍ଲକ ଓ ଜିଲ୍ଲା ସ୍ତରରେ ନୂତନ ଦିଗଦର୍ଶନ ଦେଇପାରିବେ ସେ ନେଇ ଶ୍ରୀ ବାଗଚୀ ଏକ ବିଶେଷ ଉପସ୍ଥାପନା ରଖିଥିଳେ।
ଆଇଟିଆଇ ଏବଂ ପଲିଟେକନିକର ମୁଖ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ବାଗ୍‌ଚୀ କହିଥିଲେ ଯେ ଆଜିର ଦିନରେ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଆଇଟିଆଇ ପ୍ରତି ବହୁତ ସମ୍ମାନ ରହିଛି। ପ୍ରଥମେ ତାଲିମ ଅନୁଷ୍ଠାନର ଭିତ୍ତିଭୂମି ସୁଦୃଢ କରି ତାକୁ ଆକର୍ଷଣୀୟ କରିବା ଉଚିତ। ନିକଟସ୍ଥ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ। ପ୍ରତ୍ୟେକ ଆଇଟିଆଇରୁ ଅନ୍ତତଃ ଦଶ ଜଣ ପ୍ରଶିକ୍ଷାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟରେ ପଲିଟେକନିକ, ଏସଡିଆଇରେ ତାଲିମ ନେବେ ଏବଂ ଦକ୍ଷତା ପ୍ରତିଯୋଗିତାରେ ଭାଗନେଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ। ଜିଲା ସ୍ତରରେ ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକନିକ କ୍ରୀଡା ଉତ୍ସବ ଆୟୋଜନ ସହ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର କ୍ରିକେଟ ଓ ଫୁଟବଲ ଦଳ ଗଢିବାକୁ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ।

Comments are closed, but trackbacks and pingbacks are open.